ଅଷ୍ଟମ ଛାତ୍ର ବ୍ୟାଗରେ ବନ୍ଧୁକ: ବିଦ୍ୟାଳୟରେ ଉତ୍ତେଜନା
ସ୍କୁଲ ବ୍ୟାଗରେ ପିସ୍ତଲ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଜବତ ହୋଇଛି ପିସ୍ତଲ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ଜବତ ବନ୍ଧୁକ ଯାଞ୍ଚ କରିବା ସହ ଛାତ୍ର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସମ୍ପୃକ୍ତ ଛାତ୍ର ଓ ପୁଲିସକୁ ଲୋକେ ଅଟକ ରଖିଥିଲେ। ପୁଲିସ ବୁଝାସୁଝା କରି ଛାତ୍ରକୁ ଉଦ୍ଧାର ପରେ ପରିବାର ଲୋକକଙ୍କୁ ହସ୍ତାନ୍ତର କରିଥିଲେ।ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏସଏମସି ସଦସ୍ୟାଙ୍କ ପୁଅ ଆଜି ବିଦ୍ୟାଳୟ ଆରମ୍ଭରୁ ବ୍ୟାଗରେ ବନ୍ଧୁକ ଧରି ଆସିଥିବା ଅନ୍ୟଛାତ୍ରମାନେ ଜାଣିବାକୁ ପାଇଥିଲେ। ଖେଳ ଛୁଟି ପରେ ଶିକ୍ଷକଙ୍କ ସନ୍ଦେହରେ ବ୍ୟାଗ ଦେଖିବାରୁ ଏକ ମେଟାଲ ବନ୍ଧୁକ ମିଳିଥିଲା। ଘଟଣାକୁ ନେଇ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ଜେନା ସେଠାରେ ପହଞ୍ଚି ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ କବିତା ସେଠୀ ଏସଏମସି କମିଟିକୁ ଖବର ଦେଇଥିଲେ। ତୁରନ୍ତ ଏକ ବୈଠକ ଡକାଯାଇ ଆଲୋଚନା ପରେ ପୁଲିସକୁ ଖବର ଦିଆଯାଇଥିଲା।ପୋଲିସ ପହଞ୍ଚି ପିସ୍ତଲ ଜବତ କରିବା ସହ ଏହାର ଯଞ୍ଚ କରୁଛି । ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।
