ଆପ୍ ଓଡ଼ିଶାର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଟିମ୍ ଘୋଷଣା ସହ ପୁରୀର ନୂତନ ଜିଲ୍ଲା କମିଟି ଏବଂ ନୂତନ ଜିଲ୍ଲା ଯୁବ ସଭାପତି ଘୋଷଣା
ଆମ୍ ଆଦ୍ମୀ ପାର୍ଟି ଓଡିଶାର ଦୁଇ ଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସାଙ୍ଗଠନିକ ଦକ୍ଷତାର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ଶିବିରରେ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ। ପହଲଗାମରେ ଆତତାୟୀଙ୍କ ନର ସଂହାରରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ମୌନ ପ୍ରାର୍ଥନା ରଖାଯାଇ ଶିବିର ଆରମ୍ଭ କରାଯାଇଥିଲା। ଉଦଘାଟନୀ ଦିବସରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସାଙ୍ଗଠନିକ ଦକ୍ଷତାର ବିକାଶ ନିମନ୍ତେ ବିଶେଷ ତାଲିମ୍ ପ୍ରଦାନ କରିଥିଲେ।

ଏଥି ସହିତ ସାମାଜିକ ଗଣ ମାଧ୍ୟମରେ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉଦଯାପନୀ ଦିବସରେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଡିଆନ ଯୋଗ ଦେଇ ଜନତାଙ୍କ ସବୁ ସମସ୍ୟା ସହ ଯୋଡ଼ି ହୋଇ ସେମାନଙ୍କ ବିଶ୍ୱାସଭାଜନ ହେବା ସହ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାକୁ ଆହ୍ବାନ ପ୍ରଦାନ କରିଥିଲେ।
ଇତ୍ୟବସରରେ ପ୍ରଭାରୀ ଶ୍ରୀ କାଡିଆନଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ରାଜ୍ୟ କାର୍ଯ୍ୟକାରିଣୀର ୫୦ ଜଣିଆ ନବ ନିଯୁକ୍ତ ସଦସ୍ୟ ମାନଙ୍କର ନାମ ଘୋଷଣା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀରେ ଶ୍ରୀ ରୁଚିର ରୁଦ୍ର ରଥଙ୍କୁ ନୂତନ ସଦସ୍ୟ ଭାବେ ଚୟନ କରାଯାଇ ଯୁବ ସଂଗଠନର ଅଭିବୃଦ୍ଧି ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ନୂତନ ସଦସ୍ୟ ଭାବେ ଚୟନ କରାଯାଇ ମହିଳା ସଂଗଠନକୁ ସଶକ୍ତ କରିବା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ଏହି କାର୍ଯ୍ୟକାରିଣୀରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସମେତ କେନ୍ଦ୍ରାପଡ଼ା , ଯାଜପୁର, କନ୍ଧମାଳ, ବଲାଙ୍ଗୀର, ରାୟଗଡ଼ା ଓ ପୁରୀ ଜିଲ୍ଲାର ନବନିର୍ମିତ ଜିଲ୍ଲା କମିଟିରେ ଥିବା ସଦସ୍ୟ ମାନଙ୍କ ନାମ ଘୋଷଣା କରାଯାଇଅଛି। ସମଗ୍ର ପୁରୀ ଜିଲ୍ଲାରେ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଘୋଡ଼ା ବଜାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶ୍ରୀମାନ ସ୍ଵୟଂ ପ୍ରକାଶ ସାହୁଙ୍କୁ ଦଳ ତରଫରୁ ପ୍ରଶଂସା ଫଳକ ଏବଂ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ମନୋଜ କୁମାର ବଳୀୟାରସିଂ,ପୁରୀ
