କଣ୍ଠଶିଳ୍ପୀ ଦେବେଶ ପତି ଗିରଫ: ଦେଉଥିଲେ ଭିଡିଓ ଭାଇରାଲ୍ ଧମକ

ଲଚକ୍‌ ମଣି ବେବି ଲୋ… । ବୟଫ୍ରେଣ୍ଡ ତୋରା ହେବି ଲୋ… । ବୁଲେଟ୍‌ ଗାଡ଼ିରେ ବଜାର ବୁଲାଇ ନେବି… । ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା ଖାଉଛନ୍ତି ।ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଧୋକା ଦେବା ଅଭିଯୋଗରେ ଲୋକପ୍ରିୟ ଓଲିଉଡର ଗାୟକ ଦେବେଶ ପତି ଗିରଫ ହୋଇଛନ୍ତି। ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ପୋଲିସ ୧୦୩/୨୦୨୩ ଏକ ମାମଲା ରୁଜୁ କରି ଗାୟକଙ୍କୁ ଗିରଫ କରିଥିଲା।

ପରେ ଦେବେଶଙ୍କୁ କୋର୍ଟରେ ହାଜର କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ପୋଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍‌ବିଏ ପଢ଼ୁଥିଲେ । ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ । ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ ପ୍ରସ୍ତାବ ଦେଇଥିଲେ । 

ଓଲିଉଡର ଚାକଚକ୍ୟ, ସୁପର ହିଟ ସିଙ୍ଗର ଟ୍ୟାଗ୍‌ ଯୁବତୀଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା । ଫୋନ ନମ୍ବର ଦିଆନିଆ, କିଛିଦିନର ଚାଟିଂ ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ପ୍ରେମର ଗାଡ଼ି ଜୋର୍‌ରେ ଗଡିବା ପରେ ବିବାହ ପାଇଁ ଜିଦ ଧରିଥିଲେ ଯୁବତୀ ଜଣଙ୍କ । ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଖାଲି ସେତିକି ନୁହେଁ, ବିଭିନ୍ନ ପର୍ଯ୍ୟାୟରେ ଦେବେଶ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ।ହଠାତ୍‌ ଦିନେ ଯୁବତୀ ଜାଣିବାକୁ ପାଇଲେ ଦେବେଶ ଓଲିଉଡ୍‌ର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି । ତାଙ୍କ ସହ ବୁଲାବୁଲି କରୁଛନ୍ତି । ତେବେ ଏହା ଭିତରେ ଯୁବତୀ ଗର୍ଭବତୀ ହୋଇସାରିଥିଲେ ।

ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ । ହେଲେ ସେ ରାଜି ହୋଇ ନଥିଲେ । ଦେବେଶ ମଉକା ଦେଖି ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଯୁବତୀ ।ହ୍ୱାଟ୍ସଆପ୍ ଚାଟ୍ ଏବଂ ଟଙ୍କା କାରବାରକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ଯୁବତୀ ଜଣକ ଦେଵେଶଙ୍କ ନାଁରେ ଭଦ୍ରକ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।

You might also like