କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ଶିଆଳି ଲତାର ଦଉଡ଼ି । ଏହାର ପଛର କାରଣ କଣ???

ଦ୍ୱାପରେ କୃଷ୍ଣ ଶିଆଳି ଲତା ଉହାଡରେ ନାଶ ଯାଇ ଥିଲେ : ଏ ଯୁଗେ ଶିଆଳି ଦଉଡିରେ ଭିଡା ହୁଅନ୍ତି ନନ୍ଦିଘୋଷ। କେନ୍ଦୁଝର ଶ୍ରୀ ବଳଦେବ ଜୀଉଙ୍କ ପାଖରେ ପହଞ୍ଚି ଗଲାଣି ସେହି ବହୁ ପ୍ରତିକ୍ଷୀତ ସ୍ବତନ୍ତ୍ର ଶିଆଳି ଦଉଡି଼। ଭୂୟାଁ ସେବକମାନେ ୧୦୮ ହାତ ଲମ୍ବର ୩ ଖଣ୍ଡ ଦଉଡି଼କୁ ନୂଆ ବସ୍ତ୍ର ପରିଧାନ ପୂର୍ବକ ନିଜ କାନ୍ଧରେ ବୋହି ଆଣି ଦିଅଁଙ୍କ ପାଖେ ଲାଗି କରି ନିଜ କର୍ତ୍ତବ୍ୟ ଭକ୍ତି ଭାବ ପ୍ରଦର୍ଶନ କରି ଥିଲେ। ବାଂଶପାଳ ବ୍ଲକ ଅନ୍ତର୍ଗତ ଦଅଁଳା ଗ୍ରାମରେ ଭୂୟାଁ ପୀଢ ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିଆଳି ବା ସିଆଡ଼ି ଦଉଡି଼ ତିଆରି ଚାଲି ଥିଲା। ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲତାରେ ଝୁଲୁ ଥିଲା ବେଳେ ଜାରା ଶବର ଶରାଘାତରେ ମାନବୀୟ ଲୀଳା ସମାପ୍ତ କରିଥିଲେ। ଏହା ବିଧିର ବିଧାନ ଥିଲା `ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ’। ଶ୍ରୀକୃଷ୍ଣଙ୍କ ଏପରି ବିଦାୟ ବେଳାରେ ସମଗ୍ର ବନଭୂମି ବୃକ୍ଷଲତା ପଶୁପକ୍ଷୀ ଏପରିକି ଜାରା ଶବର ନିଜେ ମ୍ରିୟମାଣ ହୋଇପଡିଲେ। ଶ୍ରୀକୃଷ୍ଣ ସମସ୍ତଙ୍କୁ ଅଭୟବାଣୀ ଦେଇ ବୈକୁଣ୍ଠପୁରକୁ ପ୍ରସ୍ଥାନ କଲେ। ପ୍ରଭୁଙ୍କ ଦେହାବଶେଷ ଦାହ ପରେ ମଧ୍ୟ କଟି ଅଂଶ ପୋଡ଼ିଲା ନାହିଁ ଯାହାକୁ ମହୋଦଧିରେ ଭସାଇ ଦିଆ ଗଲା। ଏହା ଭାସି ଭାସି ଦିବ୍ୟ ଦାରୁରେ ରୂପାନ୍ତରିତ ହୋଇ ବାଙ୍କୀ ମୁହାଣରେ ଲାଗିଲା ସେଥିରୁ ଶ୍ରୀ ଜଗନ୍ନାଥ ନିର୍ମିତ ହେଲେ।

ଏ ଯୁଗରେ ଜାରା ଶବରଙ୍କ ବଂଶଧରମାନେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଲେ ଓ ଶ୍ରୀକୃଷ୍ଣଙ୍କ ଦାରୁଣ ବେଦନା କଷ୍ଟ ମହାପ୍ରୟାଣର ସାକ୍ଷୀ ଥିବା ଶିଆଳି ଲତା କେନ୍ଦୁଝରରେ ବଡ଼ଭାଇ ଶ୍ରୀ ବଳଦେବଙ୍କ ବିଶ୍ୱର ସର୍ବୋଚ୍ଚ ରଥ ନନ୍ଦିଘୋଷର ଦଉଡି଼ ହୋଇ ପ୍ରଭୂମାନଙ୍କୁ ଝୁଲାଇ ଝୁଲାଇ ବଡ଼ଦାଣ୍ଡରେ ଭିଡ଼ି ନେଉଛନ୍ତି। କୁହା ଯାଉଛି ରାଜାଙ୍କ ଆଦେଶ ପାଇ ଭୂୟାଁ ଜୁଆଙ୍ଗ ଶିଆଳି ଲତାରେ ଦଉଡି଼ ପ୍ରସ୍ତୁତି କରି ଦେଇ ଆସୁଛନ୍ତି ହେଲେ ନେପଥ୍ୟରେ ଶ୍ରୀକୃଷ୍ଣଙ୍କ କଥା ରହିଛି। ତେବେ ଯାହା ହେଉ ଏହା ପ୍ରଭୁଙ୍କ ଅପୂର୍ବ ଲୀଳା। ନବକଳେବର ବେଳେ ଦିବ୍ୟଦାରୁ ସନ୍ଧାନ ପରି ଏଠାରେ ଭୂୟାଁ ଜନଜାତି ସେବକମାନେ ଦଉଡି଼ ପ୍ରସ୍ତୁତ ଲାଗି ଶୁଦ୍ଧପୂତ ହୋଇ ଜଙ୍ଗଲରେ ଦିବ୍ୟ ଶିଆଳି ଲତା ସନ୍ଧାନ କରନ୍ତି ଯେପରି ସେହି ଲତା ଭାଙ୍ଗି ନଥିବ କି ସେଥିରେ କୌଣସି ଚଢ଼େଇ ବସା କରି ନଥିବ।

ଏହାପରେ ସେହି ଲତାକୁ ଯୋଗ୍ୟ ମନେ କରି ବକ୍କଳ ବାହାର କରି ଦଉଡି଼ ପ୍ରସ୍ତୁତ କରା ଯାଏ। କେନ୍ଦୁଝରରେ ଏବେ କେବଳ ଭୂୟାଁ ସେବକମାନେ ଏହି ଦଉଡି଼ ପ୍ରସ୍ତୁତ କରୁଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆ ଯାଇ କିଛି ପାଉଣା ଦେବା ବ୍ୟବସ୍ଥା ହୋଇଛି। ଅନ୍ୟ ସବୁ ଆଡେ ନଡ଼ିଆ କତା ଦଉଡିରେ ରଥ ଟଣା ଯାଏ। ପୁରୀ ରଥଯାତ୍ରା ଲାଗି ଓଡ଼ିଶା କତା ନିଗମ ଦଉଡି଼ ଯୋଗାଇ ଦେଉଛି କେରଳରୁ ମଧ୍ୟ ଦଉଡି଼ ପ୍ରସ୍ତୁତ କରି ଅଣା ଯାଉ ଥିଲା।

କେନ୍ଦୁଝର ଶିଆଳି ଦଉଡି଼ ସିଧା ଛାଲିରୁ ପ୍ରସ୍ତୁତ ଏହା ଭିତରେ ଇସ୍ପାତ ତାର ଦିଆ ଯାଇ ନଥାଏ। ଏହିପରି ଅନନ୍ୟ ବିଶେଷତ୍ଵ ରଖୁ ଥିବା ଶିଆଳି ଦଉଡି଼ ପ୍ରଭୁଙ୍କ ସେବା ନିମନ୍ତେ ଲାଗି ହେବା ପରେ ସାକ୍ଷାତ ଦେବତା ହୋଇ ଯାଆନ୍ତି।

ରଥଯାତ୍ରା ବେଳେ ଏହାର ଟିକିଏ ସ୍ପର୍ଶ ପାଇବାକୁ ଭକ୍ତମାନେ ବିଭୋର ହୁଅନ୍ତି। ଦ୍ୱାପରେ ପ୍ରଭୁଙ୍କୁ ଝୁଲେଇ ଥିବାରୁ କଳି କାଳେ ରଥ ଦଉଡି଼ ହୋଇ ଶିଆଳି ଲତା ଧନ୍ୟ ହୋଇଛି ।

You might also like