ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ସଡ଼କ ବ୍ୟବହାରକାରୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦେଲା ପରାମର୍ଶ

ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ସଡ଼କ ବ୍ୟବହାରକାରୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦେଲା ପରାମର୍ଶ । ଆରଟିଓଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଲା ବିଭାଗ । ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲାରେ ବ୍ୟାପକ ହେବ ସଚେତନତା ଏବଂ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ।ଏହି ୬ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର।ସୂଚନା ଅନୁସାରେ, ସୁରକ୍ଷିତ ଯାତ୍ରା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକାରେ ଜାରି କରାଯାଇଛି। ଯେଉଁଥିରେ ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା, ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ହାଇ ବିମ୍ ବ୍ୟବହାର କରନ୍ତୁ ନାହିଁ, କୁହୁଡ଼ିରେ ଓଭରଟେକ୍ କରନ୍ତୁ ନାହିଁ, ହଠାତ୍ ବ୍ରେକ୍ ମାରନ୍ତୁ ନାହିଁ, ମଦ୍ୟପାନ କିମ୍ବା କ୍ଳାନ୍ତ ଅବସ୍ଥାରେ ଗାଡ଼ି ଚାଳନା କରନ୍ତୁ ନାହିଁ, ରାସ୍ତା ମଝିରେ ଯାନ ରଖନ୍ତୁ ନାହିଁ ବୋଲି ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।ବାଣିଜ୍ୟିକ ଯାନରେ ହେଡ୍ ଲାଇଟ୍, ବ୍ରେକ୍ ଲାଇଟ୍, ରିଫ୍ଲେକ୍ଟର ବ୍ୟବହାର କରନ୍ତୁ, ଭୋର ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ, ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତ କରନ୍ତୁ ବୋଲି ମଧ୍ୟ ମାର୍ଗଦର୍ଶିକାରେ କୁହାଯାଇଛି। ଘନ କୁହୁଡିରେ ନିହାତି ଦରକାର ନ ଥିଲେ ଯାତ୍ରା କରନ୍ତୁ ନାହିଁ।