ଠକାମୀର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ
ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି।ତିନି ଜଣ ବ୍ୟକ୍ତି ବିବେକ ଓବରୋଇଙ୍କୁ ୧.୫୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ଏକ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ନିର୍ମାଣକାରୀ କମ୍ପାନୀରେ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ମିଳିବ ବୋଲି ପ୍ରତିଶୃତି ଦେଇ ଅଭିଯୁକ୍ତମାନେ ବିବେକଙ୍କ ଠାରୁ ଟଙ୍କା ନେଇଥିଲେ। ହେଲେ ଟଙ୍କା ବ୍ୟବସାୟରେ ନିବେଶ କରିବା ବଦଳରେ ବ୍ୟକ୍ତିଗତ କାମରେ ଲଗାଇ ଦେଇଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି।
ବୁଧବାର ଅଭିନେତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନ୍ଧେରି ପୂର୍ବର ଏମଆଇଡିସି ପୋଲିସ ଷ୍ଟେଶନରେ ୩ ଜଣଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ପୋଲିସ କହିଛି ଯେ ଅଭିନେତା ଏହି ପ୍ରକଳ୍ପରେ ୧.୫୫ କୋଟି ଟଙ୍କା ବିନିଯୋଗ କରିଛନ୍ତି କିନ୍ତୁ ଅଭିଯୁକ୍ତମାନେ ବିନିଯୋଗ ହୋଇଥିବା ଟଙ୍କାକୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି। ଅଭିନେତାଙ୍କ ପତ୍ନୀ ମଧ୍ୟ ଫାର୍ମରେ ଅଂଶୀଦାର ଥିଲେ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
