ନାଳନ୍ଦା ଏଜୁକେସନ ହବ ତରଫରୁ ରକ୍ତଦାନ ଶିବିର ।।


ଗଣିଆ,(ବିଶ୍ୱରଂଜନ ସେଠି) ବୁଧବାର ପୂର୍ବାହ୍ନରେ ଗଣିଆ ବ୍ଳକ ଅନ୍ତର୍ଗତ ଆଡ଼କଟା ପଂଚାୟତର ଆଡ଼କଟାସ୍ଥିତ ନାଳନ୍ଦା ଏଜୁକେସନ ହବ ତରଫରୁ ନାଳନ୍ଦା ଏଜୁକେସନ ହବର ଛାତ୍ରାବାସ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାସୁଦେବ କୋଚିଂ ସେଂଟରର ମୁଖ୍ୟ ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ଚନ୍ଦ୍ରଶେଖର ସାହୁ ଓ ମହେନ୍ଦ୍ର କୁମାର ବରିକି ଯୋଗଦାନ କରିଥିଲେ । ବର୍ତମାନ ପରିସ୍ଥିତିରେ ଦୁର୍ଘଟଣା ଠାରୁ ଆରମ୍ଭ କରି ଶିଶୁ ପ୍ରସବ ସମୟରେ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଫଳରେ ରକ୍ତ ନିହାତି ଦରକାର ହେଉଛି ।

ଉପଯୁକ୍ତ ଗ୍ରୁପର ରକ୍ତ ନମିଳିଲେ ତାହା ଜୀବନପ୍ରତି ବିପଦ ସୃଷ୍ଟି କରୁଛି । ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ନାଳନ୍ଦା ଏଜୁକେସନ ହବର ସମସ୍ତ ଶିକ୍ଷକ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଶିବିରରେ ୩୪ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଆଗାମୀ ଦିନରେ ଗଣିଆର ବିଭିନ୍ନସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ନାଳନ୍ଦା ଏଜୁକେସନ ହବ ର ମୁଖ୍ୟ ଶ୍ରୀଯୁକ୍ତ ସାହୁ ସୁଚନା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କଟକସ୍ଥିତ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡାକ୍ତର ଅବିନାଶ ଦାଶ ରକ୍ତଦାତାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ସହକର୍ମୀ ନିହାରିକା ସାହୁ , ଚିନ୍ମୟୀ ପ୍ରତିହାରୀ ଓ ଯୁବ ଭାରତୀୟ ଆସୋସିଏସନର ସଦସ୍ୟ ବାପୁନ ବେହେରା ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନାଳନ୍ଦା ଏଜୁକେସନ ହବର ପରିଚାଳକ ମନୋରଂଜନ ମହାପାତ୍ର ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।