ନିଜର ଆଓ୍ବାର୍ଡ ଟ୍ରମ୍ପଙ୍କୁ ଦେଇ ଦେଲେ ଜଣେ ନୋବେଲ ପୁରସ୍କାର ବିଜେତା
ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ମାଚାଡୋ ପୂର୍ବଦିନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଚାଡୋ ତାଙ୍କର ପୁରସ୍କାର ପ୍ରଦାନ କରିଥିଲେ। ଏହା ମାଧ୍ୟମରେ ସେ ଦର୍ଶାଇବାକୁ ଚାହିଁଛନ୍ତି ଯେ ଭେନେଜୁଏଲାର ସ୍ୱାଧୀନତା ପାଇଁ ଆମେରିକାର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟ୍ରମ୍ପଙ୍କୁ ଜଣେ ଦୃଢ ନେତା ଭାବେ ଗ୍ରହଣ କରି ଏହି ସମ୍ମାନ ପ୍ରଦର୍ଶନ କରିଛନ୍ତି ମାଚାଡୋ । ସେପଟେ ଏନେଇ ମାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । ତେବେ ନିୟମ ଅନୁସାରେ, ଜଣେ ନୋବେଲ ପୁରସ୍କାର ବିଜେତା ସେମାନଙ୍କର ପୁରସ୍କାର ଅନ୍ୟ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିପାରିବେ ନାହିଁ, କାରଣ ପୁରସ୍କାର ପ୍ରଦାନକାରୀ ସଂସ୍ଥା ଦ୍ୱାରା ଆନୁଷ୍ଠାନିକ ଘୋଷଣା ପରେ ପୁରସ୍କାର ନିଶ୍ଚିତ ହୋଇଥାଏ। ତଥାପି, ଜଣେ ବିଜେତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ପୁରସ୍କାର ଏବଂ ପୁରସ୍କାର ଟଙ୍କା କାହାକୁ ହସ୍ତାନ୍ତର କରିପାରିବେ। ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ବିଜେତା ଭାବରେ ବିବେଚନା କରାଯାଏ।ଭେନେଜୁଏଲାର ଜଣେ ପ୍ରଭାବଶାଳୀ ବିରୋଧୀ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋ । ନିଜ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ନିକୋଲାସ ମାଦୁରୋଙ୍କ ବିରୋଧରେ ଦୀର୍ଘ ଦିନ ଧରି ସଂଗ୍ରାମ କରୁଛନ୍ତି।
