ପତାକା ଅବତରଣ ବେଳେ ଛାତ୍ର ମୃତ

ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ପତାକା ଅବତରଣ କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ଓମ ପ୍ରକାଶ ଦ୍ବିବେଦୀ (୧୪) ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି।ସୂଚନା ଅନୁସାରେ, ପାରାଦୀପ କୁଜଙ୍ଗର ଏକ କୋଚିଂ ସେଣ୍ଟର ଛାତରେ କରେଣ୍ଟ ଲାଗି ମୃତ୍ୟୁ ଘଟିଛି। ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଅବତରଣ କରିବା ବେଳେ ଜୀବନ ଗଲା। ପତାକାରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଥିଲା। କୋଚିଂ ସେଣ୍ଟର ଛାତ ଉପରୁ ପତାକା ଖୋଲୁଥିଲେ ଛାତ୍ର। ସେହି ସମୟରେ ବିଦ୍ୟୁତ ଝଟକାର ଶିକାର ହୋଇଥିଲେ। ଫଳରେ ତାଙ୍କର ଜୀବନ ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।