ପିଇବା ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଗଣିଆ,(ବିଶ୍ୱରଂଜନ ସେଠି) ଜଳ ବିନା ଜୀବନ ଅସମ୍ଭବ । ପାନୀୟ ଜଳ ସଂକଟୁ ଦୂରକରିବା ପାଇଁ ଘନଘନ ବୈଠକ ବସି ତାର ସମୀକ୍ଷା କରାଯାଉଥିଲେ ମଧ୍ୟ ବାସ୍ତବରେ ତାହା ଗଣିଆ ବ୍ଳକରେ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ । ଗୁରୁବାର ପୂର୍ବାହ୍ନରେ ଗଣିଆ ବ୍ଳକ ଅନ୍ତର୍ଗତ ରାସଙ୍ଗ ପଚାଂୟତର ଯୋଡ଼ାବରରେ ବସବାସକରୁଥିବା ଗ୍ରାମବାସୀମାନେ ପିଇବା ପାଣିରୁ ବଂଚିତ ହୋଇଥିବାରୁ ସେମାନେ ଏକତ୍ରିତ ହୋଇ ଗଣିଆ-ଛାମୁଣ୍ଡିଆ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସକାଳ ୬ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗ୍ରାମବାସୀମାନେ ଏ ପାନୀୟ ଜଳ ସମସ୍ୟା ନେଇ ବିଭାଗୀୟ ଅଧିକାରୀଠାରୁ ଆରମ୍ଭ କରି ବ୍ଳକ ଅଧିକାରୀଙ୍କୁ ଅବଗତ କରାଇବା ପରେ କୌଣସି ସୁଫଳ ମିଳିନଥିଲା । ଏଣୁ ଶେଷରେ ଏଭଳି ରାସ୍ତା ଅବରୋଧ ଭଳି ଚରମ ନିଷ୍ପତି ନେଇଥିଲୋ ।

ସୁଚନା ଥାଉକି ଯୋଡ଼ାବର ଗ୍ରାମରେ ଅନୁସୁଚିତ ଜାତିର ୨୦ରୁ ଅଧିକ ପରିବାର ବସବାସ କରନ୍ତି । ସେହି ଗ୍ରାମରେ ଛୁଆ ଅଛୁଆଁ ଭେଦଭାବକୁ ନେଇ ପଡ଼ୋଶୀ ଗ୍ରାମକୁ ପାଣି ପାଇଁ ଛାଡ଼ନ୍ତି ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଗ୍ରାମରେ ଥିବା ୨ଗୋଟି ନଳପୂପ ସଂପୁର୍ଣ୍ଣ ଅଚଳ ହୋଇ ପଡ଼ିଛି । ପାନୀୟ ଜଳ ଯୋଗାଣ ଗ୍ରାମକୁ ହୋଇଥିଲେ ମଧ୍ୟ ସମୁଦ୍ରକୁ ଶଙ୍ଖେଭଳି ୨/୩ଦିନରେ ଟୋପାଏ ପାଣି ଆସୁଛି । ଏ ନେଇ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଚୁପ ହୋଇ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତା ଉପରେ ହାଣ୍ଡି ମାଠିଆ, ଗରା ବାଲଟି ରଖି ରାସ୍‌ା ଅବରୋଧ କରିଥିବା ଯୋଗୁ ଉଭୟ ପାଶ୍ୱର୍ରେ ଅନେକ ଗାଡ଼ି ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଓ ପାନୀୟ ଜଳ ବିଭାଗର କର୍ମଚାରୀ ପଂହଚି ଆଜି ପାନୀୟ ଜଳ ଦେବାପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।