ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ

ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା କହି ଠକୁଛନ୍ତି ନକଲି ଗୁମାସ୍ତା । ଏହି ଯାତ୍ରୀ ଗୁମାସ୍ତାଙ୍କୁ ଶ୍ରୀମନ୍ଦିର ପକ୍ଷରୁ କୌଣସି ପରିଚୟ ପତ୍ର ଦିଆଯାଇନଥିବାରୁ ଏହାର ଫାଇଦା କିଛି ଅସାଧୁ ଲୋକ ନେଉଛନ୍ତି । ବାହାର ଭକ୍ତଙ୍କୁ ଦର୍ଶନ କରାଇବା ଆଳରେ ଟଙ୍କା ହରିଲୁଟ କରୁଛନ୍ତି । ଶ୍ରଦ୍ଧାଳୁଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ସହ ଅନେକ ସମୟରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଛି ।୨ମାସ ଆଗରୁ ପୁରୀ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୪ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା । ଏପରିକି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଦରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ଚେତାବନୀ ଦେଇଥିଲେ । ହେଲେ କେଇଟା ଦିନ ନପୁରୁଣୁ ପୁଣି କିଛି ଅସାଧୁ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ।ଶ୍ରୀମନ୍ଦିରରେ ଏଭଳି ଘଟଣା ଘଟିବା ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ବଦନାମ ହେଉଛନ୍ତି । ତେଣୁ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଯାତ୍ରୀ ସେବାୟତଙ୍କ ପାଇଁ ନିୟମ ରହିବା ନିହାତି ଦରକାର ବୋଲି ଦାବି କରାଯାଉଛି ।