ପ୍ରଶାସନ ଓ ଠିକାଦାରଙ୍କ ଲିଖିତ ପ୍ରତିଶୃତି ପରେ ଗଣଧାରଣାରୁ ଓହରିଲେ ଛାମୁଣ୍ଡିଆ ପଂଚାୟତବାସୀ

ଗଣିଆ,ବିଶ୍ୱରଂଜନ ସେଠି) ବୁଧବାର ଅପରାହ୍ନରେ ପ୍ରଶାସନ ଓ ଠିକାଦାରଙ୍କ ଲିଖିତ ପ୍ରତିଶୃତି ପରେ ବଡ଼ମୂଳ ରାସ୍ତା ସମସ୍ୟା ନେଇ ଗଣଧାରଣାରେ ବସିଥିବା ଗଣିଆ ବ୍ଳକର ଛାମୁଣ୍ଡିଆ ପଂଚାୟତବାସୀ ଗଣଧାରଣାକୁ ପ୍ରତ୍ୟାହୃତ କରିଛନ୍ତି । ସୁଚନା ଥାଉକି ଗଣିଆ – ବଡ଼ମୂଳ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଠାରୁ ପୁର୍ତ ବିଭାଗକୁ ହସ୍ତାନ୍ତର କରିବା, ଗଣିଆ ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତାର ଓସାର ୧୨ଫୁଟ ବଦଳରେ ୧୮ଫୁଟ କରିବା ଓ ଗଣିଆ ଠାରୁ ରାସଙ୍ଗ ପର୍ଯ୍ୟନ୍ତ ପିଚୁ ସହିତ ରାସଙ୍ଗଠାରୁ ବଡ଼ମୂଳ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯିବା ପାଇଁ ଅଂଚଳବାସୀଙ୍କ ତରଫରୁ ଦାବୀ ନେଇ ଗଣଧାରଣାରେ ବସିଥିଲେ । । ଗଣଧାରଣାର ୨ଦିନ ମଧ୍ୟରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପଂହଚି ନଥିଲେ ଯାହାକୁ ନେଇ ବୁଧବାର ସକାଳ ୬ଘଟିକାରୁ ରାଇଗାଡ଼ିଆ ଗ୍ରାମର ବଳଭଦ୍ର ଧଳ, ଲୋଚନ ନାୟକ ବେଂଟପଡ଼ା ଗ୍ରାମର ପ୍ରଫୁଲ କୁମାର ନାୟକ ଓ ବିନୋଦ ଧଳ ଆମରଣ ଅନଶନରେ ବସିଥିଲେ । ଖବର ପାଇ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଧୁସୁଦନ ଦାସ ଘଟଣାସ୍ଥଳରେ ପଂହଚି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ । ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡିଭିଜିନାଲ ହେଡ ଦିବ୍ୟରାଣୀ ପୃଷ୍ଟି ଓ ସବଡିଭିଜିନାଲ ହେଡ ଏକଜୁକ୍ୟୁଟିଭ ଇଂଜିନିୟର ମଂଜୁଲତା ବେହେରା, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସାହୁ, ଠିକାଦାର ଅନିଏ ବିଶ୍ୱାଳ, ତହସିଲଦାର ପ୍ରତିବାଳା ରଣା, ବିଡିଓ ସାଗର ନନ୍ଦ ଗଣଧାରଣାସ୍ଥଳରେ ପଂହଚିଥିଲେ ।

ଉଭୟଙ୍କ ମଧ୍ୟରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ପ୍ରଥମ ଦାବୀ ମୁତାବକ ଗଣିଆଠାରୁ ୧୦କିମି. ରାସ୍ତା କଳାପାଟ ମନ୍ଦିର ପର୍ଯ୍ୟନ୍ତ ଚଳିତ ମାସ ଜୁନମାସ ୩୦ ତାରିଖ ସୁଦ୍ଧା ଆରଡି ବିଭାଗରୁ ପୁର୍ତ ବିଭାଗକୁ ହସ୍ତାନ୍ତର କରାଯିବ, ୨ୟ ଦାବୀ ମୁତାବକ କଳାପାଟ ମନ୍ଦୀର ଠାରୁ ଛାମୁଣ୍ଡିଆ ମଧ୍ୟରେ ବାକିଥିବା ଆନୁମାନିକ ୧କିମ. ରାସ୍ତା କଂକ୍ରିଟ କରଣ ଆଜିଠାରୁ ୪୫ଦିନ ମଧ୍ୟରେ ସଂପୁର୍ଣ୍ଣ କରିବା ଏବଂ କଳାପାଟ ଠାରୁ କୁତୁରି ପର୍ଯ୍ୟନ୍ତ ସମସ୍ତ ରାସ୍ତାର କଳଭର୍ଟ ସହିତ ରାସ୍ତାର ସଂପୁର୍ଣ୍ଣୀକରଣ ଆଗାମୀ ନଭେମ୍ବର ମାସ ୩୦ତାରିଖ ସୁଦ୍ଧା ସଂପୁର୍ଣ୍ଣ କରାଯିବ ବୋଲି ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାର ଲିଖିତ ପ୍ରତିଶୃତି ଦେଇଥିଲେ । ଯାହାକୁ ନେଇ ଅଧିକାରୀମାନେ ଲିଖିତ ପ୍ରତିଶୃତି ଦେବାପରେ ଅଂଚଳବାସୀ ଆନ୍ଦୋଳନରୁ ଓହରିଥିଲେ । ଆଂଚଳିକ ବିକାଶ ପରିଷଦର ସଭାପତି ଜୟକୃଷ୍ଣ ସାହୁ, ସରପଂଚ ଦିପ୍ତିମୟୀ ସେନାପତି, ସମିତିସଭ୍ୟା ସସ୍ମିତା ଦଳେଇ, ବିଭୁତିଭୁଷଣ ପଣ୍ଡା, ସଦାଶିବ ମିଶ୍ର, ଭିକାରୀ ଚରଣ ସାହୁ, ଗଣିଆ ସରପଂଚ ଗିରିଧାରୀ ସେଠୀ, ସମୀର କୁମାର ବେହେରା, ସୁଧାକର ଦେହୂରୀଙ୍କ ସମେତ ଓ ପଂଚାୟତର ସମସ୍ତ ୱାର୍ଡ଼ସଭ୍ୟସଭ୍ୟାଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଏହି ଧାରଣାରେ ସହଯୋଗ କରିଥିଲେ ।

You might also like