ଫୁଟବଲ୍‌ ଖେଳୁଥିବା ବେଳେ ସିଲଂ ସାଂସଦଙ୍କ ମୃତ୍ୟୁ

ସିଲଂର ମଲାଇ ମୱିଙ୍ଗ ଠାରେ ଫୁଟବଲ ଖେଳୁଥିବା ବେଳେ ଲୋକସଭା ସାଂସଦ ରିକି ଏଜେ ସିଙ୍ଗକନଙ୍କର ଆଜି ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଭଏସ୍‌ ଅଫ୍‌ ଦି ପିପୁଲ୍ସ ପାର୍ଟି (ଭିପିପି)ର ନେତା ଥିଲେ ।ତାଙ୍କୁ ତୁରନ୍ତ ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଏବଂ ପରେ ଶିଲଂରେ ଥିବା ଡକ୍ଟର ଏଚ୍ ଗୋର୍ଡନ୍ ରବର୍ଟସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ରାତି ୮.୪୨ ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ କେ ସାଙ୍ଗମାଙ୍କ ସମେତ ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି।ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସାଂସଦ ରିକିଙ୍କ ବିୟୋଗରେ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରିଛନ୍ତି । ୨୦୨୪ ନିର୍ବାଚନରେ ରିକି ୩ ଥର କଂଗ୍ରେସ ସାଂସଦ ହୋଇଥିବା ଭିନସେଣ୍ଟ ଏଚ୍‌ ପାଲାଙ୍କୁ ୩ ଲକ୍ଷ ୭୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ ।