ବିଏସଏଫରେ ଯୋଗଦେବେ ରୋଜାଲିନ୍‌ , ସମ୍ବର୍ଦ୍ଧିତ କଲେ ସରପଞ୍ଚ।

ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକର ପ୍ରଥମ ମହିଳା ବିଏସଏଫଭାବେ ଯୋଗଦାନ କରିବେ ରୋଜାଲିନ୍ । ଗଣିଆ ଗ୍ରାମର ପରିକ୍ଷିତ ବେହେରାଙ୍କ ଝିଅ ରୋଜାଲିନ ବେହେରା (୨୨) ନିଜର କଠିନ ପରିଶ୍ରମ ଓ ଦୃଢଇଚ୍ଛାଶକ୍ତି ଆଗରେ ହାର ମାନିଛି ଆର୍ଥିକ ପରିସ୍ଥିତି ସମେତ ବହୁ ବାଧାବିଘ୍ନ ଓ ନିଜର ଚେଷ୍ଟାବଳରେ ସେ ଆଜି ଭାରତ ମାତାର ସେବା କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ)ରେ ଚୟନ ହୋଇ ସମଗ୍ର ଗଣିଆ ବ୍ଳକ ପାଇଁ ଗୌରବ ଆଣି ଦେଇଛନ୍ତି । ସେଥିପାଇଁ ଗଣିଆ ଗ୍ରାମପଞ୍ଚାୟତର ସରପଂଚଙ୍କ ତତ୍ତ୍ଵାବଧାନେ ମୁଖ୍ୟ ଅତିଥି ଭାବେ ଗଣିଆ ତହସିଲଦାର ପୃଷେଥ ସମ୍ମାନିତ ଅତିଥି ଭାବେ ଗଣିଆ ବିଡ଼ିଓ ଲାବନେନ୍ଦୁ ମହାନ୍ତି ଓ ଏବିଡିଓ ରତନ ଲାଲ ଲୋହରା ଯୋଗ ଦେଇ ରୋଜାଲିନଙ୍କୁ ମିଠା ଖୁଆଇବା ପରେ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ +୩ ପାଠ ପଢିସାରିବା ପରେ ବିଏସଏଫ ପାଇଁ ଚେଷ୍ଟା ଜାରି ରଖିଥିଲେ । ଘରର ଅଭାବ ଅସୁବିଧାଠାରୁ ଆରମ୍ଭ କରି ଲୋକଙ୍କ ଟାହିଟାପରା ପର୍ଯ୍ୟନ୍ତ କୌଣସି କଥାକୁ ଖାତିର ନକରି ଦିନରାତି ଏକ କରି ବିଏସଏଫ ପାଇଁ ଚେଷ୍ଟା ଜାରି ରଖିଥିଲେ । ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେ ଏହି ଚାକିରୀ ପାଇଥିବା ବେଳେ ବାପାମାଙ୍କ ଆଶୀର୍ବାଦ ପାଇଁ ସେ ଆଜି ଏହି ଜାଗାରେ ପଂହଚିଥିବା କହିଛନ୍ତି । ବାପା ଜଣେ ଅଟୋ ଡ୍ରାଇଭର ହୋଇଥିଲେ ମଧ୍ୟ ପିଲାମାନଙ୍କ ପାଠପଢାଠାରୁ ଆରମ୍ଭ କରି ବିଏସଏଫରେ ଯୋଗଦାନ କରିବାକୁ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବିଭିନ୍ନ ବ୍ୟାୟାମ ଉପକରଣମାନ ଯୋଗାଇ ଦେବା ସହିତ ଭାରତ ମାତାର ସେବା କରିବାକୁ ଉତ୍ସାହିତ କରୁଥିଲେ । ତାଙ୍କର ଏହି ସଫଳତା ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଂଚଳରେ ଖୁସର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଛାର ସୁଆ ଛୁଟୁଛି । ବର୍ତମାନ ସେ ପଂଜାବରେ ଟ୍ରେନିଂରେ ଯୋଗଦେଇଥିବା କହିଛନ୍ତି । ଆଗାମୀ ଦିନରେ ସେ ନିଜର କର୍ତବ୍ୟକୁ ସୁଚାରୁ ରୂପେ ପାଳନ କରି ନିଜ ଗାଁ ଜିଲା ରାଜ୍ୟ ଓ ସମଗ୍ର ଭାରତବର୍ଷର ନାଁ ରଖିବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି ।