ବିଭିନ୍ନ ଶୈବପୀଠରେ ଜାଗର ଜାଳିଲେ ଶ୍ରଦ୍ଧାଳୁ

ଗଣିଆ,(ବିଶ୍ୱରଂଜନ ସେଠି) ମହାଶିବରାତ୍ରୀ ଉପଲକ୍ଷେ ରବିବାର ଗଣିଆ ଅଂଚଳର ପ୍ରମୁଖ ୭ଟି ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଠାକୁରଙ୍କ ଦର୍ଶନ କରି ସନ୍ଧ୍ୟାରେ ସହସ୍ରାଧିକ ଶ୍ରଦ୍ଧାଳୁ ଜାଗର ଜାଳିବା ପାଇଁ ଗହଳି ଲଗାଇଥିଲେ । ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ମଧ୍ୟରାତ୍ର ପରଠାରୁ ଶୈବପୀଠଗୁଡ଼ିକରେ ମହାଦୀପ ଉଠିଥିଲା । ଏହାପରେ ବ୍ରତଧାରୀ ବ୍ରତ ସମାପନ କରିଥିଲେ । ଶିବରାତ୍ରୀ ନିମନ୍ତେ ଗଣିଆସ୍ଥିତ ଲିଙ୍ଗରାଜ ଦେବ, ପତଣ୍ଡାର ଭୋଳେଶ୍ୱର ନାଥ, ବଡ଼ମୂଳର କପିଳେଶ୍ୱର ଦେବ, ଛାମୁଣ୍ଡିଆର ଗୁପ୍ତେଶ୍ୱର ମହାଦେବ, ଡଙ୍କାରିସାହିର ଗଣପତିଶ୍ୱର ଦେବ, ରାଉତପଡ଼ାର ଭୋଳେଶ୍ୱର ମହାଦେବ, ଓ ଜଗନ୍ନାଥପ୍ରସାଦର ବାଲୁଙ୍କେଶ୍ୱର ମହାଦେବ ପ୍ରମୁଖ ଶୈବପୀଠଗୁଡ଼ିକ ରଙ୍ଗୀନ ଆଲୋକରେ ଝଲସୁଥିଲା ।

ରାଉତପଡ଼ାର ଭୋଳେଶ୍ୱର ମହାଦେବ ପୀଠରେ ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା । ପତଣ୍ଡାସ୍ଥିତ ଭୋଳେଶ୍ୱରନାଥଙ୍କ ପୀଠରେ ପତଣ୍ଡା ଗଉଡ଼ସାହି ଓ ତୋଟାସାହିର କର୍ମକର୍ତାଙ୍କ ସହଯୋଗରେ ଭକ୍ତଙ୍କ ମନେରଂଜନ ନିମନ୍ତେ ଦିନବେଳେ ଦୁଆରୀ ନାଚ ଓ ରାତ୍ରୀରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ସକାଳୁ ସୂର୍ଯ୍ୟୋାଦୟ ସମୟରେ ଭୋଳେଶ୍ୱର ମହାଦେବଙ୍କର ଲିଙ୍ଗାୟନୀ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।