ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କରିବେ ଫିଲ୍ମ।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ମଇଦାନରେ ନିଜ ଚମତ୍କାରିତା ଦେଖାଇବା ପରେ କ୍ୟାପ୍ଟେନ ବଏ ଏବେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ସୂଚନା ଅନୁସାରେ, ମହେନ୍ଦ୍ର ସିଂହ ଧୋନି ନିର୍ମାତା ଭାବେ ଚଳଚ୍ଚିତ୍ର ଜଗତରେ ପାଦ ଦେବେ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଧୋନୀ ତାଙ୍କ ଫିଲ୍ମରେ ବଲିଉଡ ଅଭିନେତାଙ୍କ ବଦଳରେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ନେବେ।
ମହେନ୍ଦ୍ର ସିଂହ ଧୋନୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇ ବଡ଼ ତାରକାଙ୍କ ସହ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ନିଜ ପ୍ରଥମ ପ୍ରୋଜେକ୍ଟରେ ଧୋନୀ ସାଉଥ୍ ସୁପରଷ୍ଟାର ଥଲପତି ବିଜୟ ଓ ମହେଶ ବାବୁଙ୍କୁ କାଷ୍ଟ କରିବାକୁ ଯୋଜନା କରିଛନ୍ତି। ନିର୍ମାତା ଭାବେ ଧୋନୀ ନିଜ ଫିଲ୍ମରେ ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରୁ ଅଭିନେତା ପୃଥ୍ବୀରାଜ ସୁକୁମାରନ ଏବଂ କନ୍ନଡ଼ ଇଣ୍ଡଷ୍ଟ୍ରୀରୁ କିଚ୍ଚା ସୁଦୀପଙ୍କୁ ମଧ୍ୟ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଧୋନୀଙ୍କ ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ସହ ଜଡ଼ିତ ଏକ ସୂତ୍ରରୁ ପ୍ରକାଶ ଯେ, ମାହି ନିଜେ ମଧ୍ୟ ଥଲପତି ବିଜୟଙ୍କ ସହ ଫିଲ୍ମରେ ନଜର ଆସିବେ। ଖୁବ୍ କମ୍ ସମୟ ପାଇଁ ଧୋନୀଙ୍କୁ ସେହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଧୋନୀଙ୍କୁ ପରଦାରେ ଦେଖିବା ପ୍ରଶଂସକଙ୍କ ପାଇଁ ସ୍ୱପ୍ନ ସତ ହେବା ସଦୃଶ।
ସୂଚନାଯୋଗ୍ୟ, ଧୋନୀଙ୍କର ଏମଏସ ଧୋନୀ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଅଛି। ଧୋନୀଙ୍କ ସହ ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଏହି ପ୍ରଡକ୍ସନ୍ ହାଉସ୍ ପରିଚାଳନା କରନ୍ତି। ସୂଚନା ଅନୁଯାୟୀ, ଚେନ୍ନାଇରେ ଏହାର ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ପ୍ରଡକ୍ସନ୍ ହାଉସରୁ ‘ରୋର୍ ଅଫ୍ ଲାୟନ’, ‘ଦି ହିଡେନ ହିନ୍ଦୁ’ ଏବଂ ‘ବ୍ଲେଜ ଟୁ ଗ୍ଲୋରୀ’ ନାମକ ତିନୋଟି ଛୋଟ ବଜେଟ୍ ଚଳଚ୍ଚିତ୍ର ନିର୍ମାଣ କରାସରିଛି।
