ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି ପ୍ରଯୋଜକ ଟୁଟୁ ନାୟକ।
ମହିଳା ସାମ୍ବାଦିକଙ୍କୁ ଚାପୁଡା ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ । ଶନିବାର ଖାରବେଳ ନଗର ଥାନାରେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଜୋନ୍ -୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ଭିଡିଓ ଫୁଟେଜ ଓ ସାକ୍ଷୀଙ୍କ ବୟାନ ଭିତ୍ତି ଟୁଟୁ ଗିରଫ ହୋଇଛନ୍ତି।। ଟୁଟୁ ନାୟକଙ୍କ ବିରୋଧରେ ଲାଗିଥିଲା ସଂଙ୍ଗୀନ ଦଫା । ଟୁଟୁ ନାୟକଙ୍କୁ ୩୫୪, ୨୯୪, ୩୪୧, ୩୨୩ ଦଫାରେ ଗିରଫ କରାଯାଇଥିବା ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା ।
ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା । ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମିୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ବାଦିକ ବାହାରକୁ ଆସିଥିଲେ । ଅଭିନେତାଙ୍କ ବାଇଟ୍ ନେବା ପାଇଁ ମହିଳା ସାମ୍ବାଦିକ ଜଣକ ହଲ୍ ପ୍ରବେଶ ପଥରେ ଠିଆ ହୋଇଥିଲେ । ଠିକ୍ ସେହି ସମୟରେ ପ୍ରଯୋଜକ ଟୁଟୁ ନାୟକ ପଛ ପଟୁ ଆସି ମହିଳା ସାମ୍ବାଦିକଙ୍କୁ ଥାପୁଡାଇ ଦେଇଥିଲେ ଫଳରେ ତାଙ୍କ ବୁମ୍ ଓ ମୋବାଇଲ ତଳେ ପଡିଯାଇଥିଲା । ପରେ ସେ ବୁମ୍ ନଉଠାଇ ଓଲଟା ତାଙ୍କ ଗାଲରେ ଚାପୁଡା ମାରି ସେଠାରୁ ପଳାଇ ଯାଇଥିଲେ ।
ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଥିଲା ।ପରେ ଖାରବେଳ ନଗର ଥାନାରେ ଦେବସ୍ମିତା ରାଉତ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଟୁଟୁଙ୍କ ବିରୋଧରେ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
