ମହୁକଣ, କୁମ୍ଭୀରଖଣୀ ଓ ରାଜିଙ୍ଗି ଦେଇ ଲକ୍ଷ୍ମୀ ବସ ଚଳାଚଳ ପାଇଁ ଦାବୀବସଷ୍ଟାଣ୍ଡ ଅଛି ଗାଁକୁ ଗଡ଼ୁନି ଗାଡ଼ି

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକର ବିଭିନ୍ନ ପଂଚାୟତରେ ଲକ୍ଷ୍ମୀ ବସ ଚଳାଚଳ କରୁଥିବାବେଳେ ସାଧାରଣ ଲୋକେ ଏଥିରେ ଉପକୃତ ହେଉଛନ୍ତି । ମାତ୍ର କିଛି ନିର୍ଦ୍ଧିଷ୍ଟ ପଂଚାୟତର କିଛି ଗାଁକୁ ବସ ଚଳାଚଳ ବ୍ୟବସ୍ଥା ହୋଇପାରୁନାହିଁ । ଫଳରେ ଉକ୍ତ ଅଂଚଳବାସୀ ବସ ସେବାରୁ ବଂଚିତ ହେବାନେଇ ଅଭିଯୋଗ କରିଛନ୍ତି । ଗଣିଆ ବ୍ଳକରେ ୮ଗୋଟି ପଂଚାୟତ ପାଇଁ ଜିଲା ପ୍ରଶାସନ ତରଫରୁ ୨ଗୋଟି ବସ ଚଳାଚଳ କରୁଛି । ତେବେ ବ୍ଳକର ରାସଙ୍ଗ ପଂଚାୟତ ଓ ଛାମୁଣ୍ଡିଆ ପଂଚାୟତର ୧୦ ହଜାରରୁ ଅଧିକ ଜନସାଧାରଣ ଏହି ସେବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ରାସଙ୍ଗ ପଂଚାୟତର ଡଙ୍କାରିସାହି ଠାରୁ ଛାମୁଣ୍ଡିଆ ପଂଚାୟତର ମହୁକଣ, ଛାଡ଼ମୂଳ, ଧୋବାବୋରେଇ, କୁମ୍ଭୀରଖଣି, ରାଜିଙ୍ଗି, ମହନାପଦା, ଓ ରାଇଗାଡ଼ିଆ ଦେଇ ବସ ଚଳାଚଳ ପାଇଁ ୧୨ କି.ମି ପରେ ଭାୟା ବେଂଟପଡ଼ା ଦେଇ ଛାମୁଣ୍ଡିଆ ଓ ବଡ଼ସିଲିଙ୍ଗା ପଂଚାୟତକୁ ଯାତାୟତ ପାଇଁ ୮ମାସ ପୂର୍ବରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଂଚଳବାସୀଙ୍କ ତରଫରୁ ବସ ଚଳାଚଳପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହାର ସମାଧାନ ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ୧୨ କି.ମି. ରୁ ଅଧିକ ହୋଇଥିବା ଉକ୍ତ ଅଂଚଳକୁ ଗମନାଗମନ ବ୍ୟବସ୍ଥା ସୁବିଧା ହୋଇ ନଥିବାରୁ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରାୟ ୬/୭ଖଣ୍ଡ ଗ୍ରାମର ଶତାଧିକ ବାସିନ୍ଦା ଗଣିଆ ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତାରେ ଘରୋଇ ବସର ସୁବିଧା ନଥିବାଯୋଗୁଁ ଅଂଚଳବାସୀ ଯାତାୟତ ପାଇଁ ବହୁ ସମସ୍ୟାରେ ପଡ଼ିଥାନ୍ତି । ସରକାରଙ୍କ ତରଫରୁ ଲକ୍ଷ୍ମୀବସ ଚଳାଚଳ କରିବାକୁ ପ୍ରତିଶୃତି ଦିଆଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ପୁରଣ ହୋଇପାରିଲା ନାହିଁ । ଗୁରୁତ୍ୱ ପୁର୍ଣ୍ଣ କଥା ହେଉଛି ୧୨ କି.ମି. ଭିତରେ ଲକ୍ଷ ଲକ୍ଷ ଟଙ୍କାରେ ୩ଗୋଟି ବସଷ୍ଟାଣ୍ଡ ନିର୍ମାଣ ସରିଥିବାବେଳେ ପଂଚାୟତର ସେହି ଗ୍ରାମଗୁଡ଼ିକୁ ବସ ଚଳାଚଳ ହେଉନଥବବା ଛାମୁଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁ ଅଭିଯୋଗ କରିଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।