ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ
ତାମିଲନାଡ଼ୁର ଚେନ୍ନାଇରେ ପ୍ରାୟ ୧,୫୦୦ କାଉଙ୍କ ହଠାତ୍ ମୃତ୍ୟୁ ପୁଣି ଥରେ ବାର୍ଡ ଫ୍ଲୁ ଭୂତାଣୁ ପ୍ରତି ଦୃଷ୍ଟି ଆକର୍ଷଣ କରିଛି, ଯାହା ଗତ କିଛି ବର୍ଷ ଧରି ସାରା ବିଶ୍ୱରେ ଶିରୋନାମରେ ରହିଆସିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପିଥିବା ଆଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ଦ୍ରୁତ ଗତିରେ ବିକଶିତ ହେଉଛି, ଯାହା ଭବିଷ୍ୟତରେ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ ‘H5N1’ ଭୂତାଣୁ ଯୋଗୁଁ ହୋଇଛି। ଯାହାକୁ ସାଧାରଣ ଭାଷାରେ ‘ବାର୍ଡ ଫ୍ଲୁ’ କୁହାଯାଏ। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ଜରୁରୀ ମାର୍ଗଦର୍ଶିକା ଜାରି କରାଯାଇଛି।ସାଧାରଣତଃ ମଣିଷଙ୍କୁ ଏହି ସଂକ୍ରମଣ ହେବା ବିରଳ। କିନ୍ତୁ ଯଦି କେହି ସଂକ୍ରମିତ ପକ୍ଷୀ କିମ୍ବା ସେମାନଙ୍କ ବର୍ଜ୍ୟବସ୍ତୁ ସଂସ୍ପର୍ଶରେ ଆସନ୍ତି, ତେବେ ସଂକ୍ରମଣର ଭୟ ଥାଏ। ମଣିଷଙ୍କ କ୍ଷେତ୍ରରେ ଏହା ହେଲେ ନିମୋନିଆ ଭଳି ମାରାତ୍ମକ ଶ୍ୱାସକ୍ରିୟା ଜନିତ ରୋଗ ହୋଇପାରେ। ତେଣୁ ସାବଧାନ ରହିବା ନିହାତି ଜରୁରୀ।
