ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଏହି ବେଶ ପ୍ରସ୍ତୁତକାରୀ ହବିଷ ଅନ୍ନ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି। ବର୍ଷକରେ ଏହି ଗୋଟିଏ ଦିନ ବଡ଼ସିଂହାର ନୀତିରେ ପଦ୍ମ ବେଶରେ ଥାଇ ପହୁଡ଼ ହୁଅନ୍ତି ମହାପ୍ରଭୁ। ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ମିଳେ।