ବଡ ଖବର – ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ

ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚ‌ାଉଳ ଉଠାଇପାରିବେ | ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି । ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବର ପହିଲାରୁ ଇ-କେୱାଇସି କରି ନଥିବା ଲୋକଙ୍କ ଚାଉଳ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ରାଜ୍ୟରେ ଚାଲିଥିବା ଇ-କେୱାଇସିକୁ ନେଇ ନିକଟରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ବିଭାଗ ପକ୍ଷରୁ ଇ-କେୱାଇସିକୁ ପୂର୍ବଭଳି ଜାରି ରଖିବା ଲାଗି ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦିଆଯାଇଛି। ତେଣୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଚାଉଳ ବନ୍ଦ କରାଯିବନାହିଁ । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ ନେଇ ଏକ ସର୍କୁଲାର୍‌ ଜାରି କରିଥିଲେ ।