କଟକରେ ନୂଆ ବିମାନବନ୍ଦର କୁ ନେଇ ଚର୍ଚ୍ଚା
କଟକ ଚୌଦ୍ୱାରର ଚାରବାଟିଆରେ ଏକ ବେସାମରିକ ବିମାନବନ୍ଦର ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ତେବେ ଏହି ଦାବିକୁ ପୁଣିଥରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ।ଚାରବାଟିଆ ଏୟାରଷ୍ଟ୍ରିପରେ ARC ଦ୍ୱାରା ପରିଚାଳିତ ସୁବିଧାରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେ ଲମ୍ବର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ପ୍ରତିରକ୍ଷା କ୍ଷେତ୍ରରେ ଏହାର ଭୂମିକା ରହିଛି । ଏହା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାତ୍ର ୩୩ କିଲୋମିଟର ଦୂରରେ ଅବସ୍ଥିତ ।
ସାଂସଦ ଭର୍ତ୍ତୃହରି ମହତାବ ୨୦୨୫ ଫେବ୍ରୁଆରୀ ପ୍ରସ୍ତାବରେ ଚାରବାଟିଆରେ ବିମାନବନ୍ଦରର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ନିକଟରେ ଶିଳ୍ପାଞ୍ଚଳ ଅଭିବୃଦ୍ଧି ଘଟିଥିବାରୁ ଏବଂ କାମ ଆରମ୍ଭ ହୋଇଥିବା ନୂତନ ରାଜଧାନୀ ରିଙ୍ଗ ରୋଡ ଏହାର ପାଖ ବୋଲି ସେ ଉଲ୍ଲେଖ କରିଛନ୍ତି । ତେଣୁ ଏଠାରେ ଅଧିକ କାର୍ଗୋ ହାଣ୍ଡଲିଂରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ। ସୁବିଧାରେ କରିପାରିବେ ଯାତ୍ରା। ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
