ଦିନକ ପରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ

ମହାତ୍ମାଗାନ୍ଧି ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆଜି ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଫୁଲ୍ ଡେସ୍ ରିହଲର୍ସଲ କରାଯାଇଛି। ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ ପରେଡ୍‌ରେ ଭାଗ ନେବେ । ଅଭ୍ୟାସରେ ୪୩ଟି କଣ୍ଟିଜେଣ୍ଟ ସାମିଲ୍‌ ହୋଇଥିବା ବେଳେ ସାଧାରଣତନ୍ତ୍ର ଦିବସ ଦିନ ମୋଟ ୪୯ଟି ଦଳ ଭାଗ ନେବେ । ସେଥିରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ) ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍‌) ଓ ସପ୍ତମ ଓଡି଼ଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ଅଭ୍ୟାସ କରିଥିଲେ ।

ବାକି ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍‌ସିସି, ସ୍କାଉଟ୍‌ସ୍‌, ଗାଇଡ୍‌ସ ସହ ଡେୟାର ଡେଭିଲ୍‌, ଏନ୍‌ସିସି ଅଶ୍ୱବାହିନୀ ପରେଡ୍‌ରେ ସାମିଲ ହେବେ । ଚଳିତ ବର୍ଷ ୧୦ଟି ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ ପରେଡ୍‌ର ଆକର୍ଷଣ ସାଜିବେ । ସାଧାରଣତନ୍ତ୍ର ଦିବସକୁ ଆସୁଥିବା ଦର୍ଶକଙ୍କ ପାଇଁ ୭ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ରେଳଷ୍ଟେସନ ନିକଟ ବିଡିଏ ବସଷ୍ଟାଣ୍ଡ, ୨ ନଂ ସରକାରୀ ବାଳିକା ବିଦ୍ୟାଳୟ ପଡି଼ଆ ଓ ରବିନ୍ଦ୍ର ମଣ୍ଡପ ଭିତରେ ବାଇକ୍‌ ଓ କାର ରଖିହେବ । କଂଗ୍ରେସ ଭବନ ଓ ଇଡକଲ ଅଡିଟୋରିୟମ ନିକଟ ଖୋଲା ସ୍ଥାନ ସମେତ ଜୟଦେବ ଭବନ ଓ ୩ ନଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମ୍ନା ଖୋଲା ଜାଗାରେ ମଧ୍ୟ ପାର୍କିଂ କରିପାରିବେ ।

You might also like