ବୈକୁଣ୍ଠଧାମ ଆଶ୍ରମ ଏବେ ଭଙ୍ଗା ହେବନି |
ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ସରକାରୀ ଜମି ଜବର ଦଖଲ କରି ଗଢି ଉଠିଥିବା ଆଶ୍ରମକୁ ଭାଙ୍ଗିବାକୁ ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଇଛନ୍ତି ହାଇକୋର୍ଟ।ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ଆଶ୍ରମ ଶୁକ୍ରବାର ଉଚ୍ଛେଦ ହୋଇଥାନ୍ତା। ଏମିତିକି ଆଶ୍ରମ ଆଗରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ମାଇକ୍ ଯୋଗେ ଘୋଷଣା ମଧ୍ୟ କରିଥିଲା।
ଏହା ସହ ଆଶ୍ରମ ଭିତରେ ଥିବା ସାମଗ୍ରୀ ମଧ୍ୟ କାଢି ନେବାକୁ ଘୋଷଣା କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ଆଉ ଏହାକୁ ଚାଲେଞ୍ଜ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ। ତେବେ ଜିଲାପାଳ କହିଥିଲେ ଯେ, ବୈକୁଣ୍ଠଧାମ ଆଶ୍ରମ ବେଆଇନ ଭାବେ ନିର୍ମାଣ ହୋଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଘଟଣାର ତଦନ୍ତ ପାଇଁ ଭୁବନେଶ୍ବର ଉପଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ଟିମ୍ ସହ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ତେବେ ଏହା ରାଜସ୍ବ ଅଥବା ଜିଏ ଡିପାର୍ଟମେଣ୍ଟର ଯାଞ୍ଚ ପରେ ମାମଲା ସ୍ପଷ୍ଟ ହେବ।
