କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ତାଙ୍କ ବିଷୟରେ କିଛି ଅଜଣା କଥା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖ, ମାର୍ଗଶିର ଗୁରୁବାର ଦିନ। ତାଙ୍କର ପୈତୃକ ଘର ଭଦ୍ରକ ଜିଲ୍ଲାର ତାଳପଦାରେ।ସେ କଟକର ଧୁଆଁ ପତ୍ରିଆ ଗଳିରେ ଜନ୍ମ ଗ୍ରହଣ କରିଥିଲେ।ପିତା ବିଶିଷ୍ଟ ଆଇନଜୀବୀ ତଥା ଜମିଦାର ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର।ମାତା କଣ୍ଟାପାରିର ଜମିଦାର ତନୟା ରାଧାରାଣୀ।ଭଦ୍ରକର ନାମକରଣ ହୋଇଛି ଯେଉଁ ମହାମାୟାଙ୍କ ନାମରେ, ସେହି ଭଦ୍ରକାଳୀଙ୍କ ସମ୍ବନ୍ଧରେ ଯେଉଁ କିମ୍ବଦନ୍ତୀ ପ୍ରଚଳିତ, ସେହି ଚୌହାନ ବଂଶୀୟ ରାଜପୁତଙ୍କ ସହିତ ସାମନ୍ତରାୟ ମହାପାତ୍ର ବଂଶ ଉଦ୍ଭବର କାହାଣୀ ଜଡ଼ିତ।ସମୟକ୍ରମେ ଚୌଧୁରୀ ବଂଶ ବିସ୍ତାର ଲାଭ କରିଥିଲା।ପରେ ପରେ ସାମନ୍ତରାୟ ଓ ଭୂୟାଁ ଭାବେ ଦୁଇ ଭାଇ ଯଥାକ୍ରମେ ସାମନ୍ତରାୟ ଉଆସ,ତାଳପଦା ଓ ଭୂୟାଁ ଉଆସରେ ବସତି ସ୍ଥାପନ କରି ରହିଲେ।ଛାତ୍ର ଜୀବନରେ ବାଲେଶ୍ଵରରୁ ଭଦ୍ରକ। ଜଗନ୍ନାଥପୁରରେ ମଞ୍ଚ ଅଭିନୟ ହେଲା।ଇନ୍ଦ୍ରଙ୍କ ଭୂମିକା ଗ୍ରହଣ କରିଥିଲେ ଲକ୍ଷ୍ମୀକାନ୍ତ। ତାଙ୍କର ଅଭିନୟ ଉଚ୍ଚ ପ୍ରଶଂସିତ ହେଲା। ଏପରିକି ତାଙ୍କର ଶିକ୍ଷକ ମାନଙ୍କ ସହିତ ଅତି କଠୋର ପ୍ରକୃତିର ପ୍ରଧାନ ଶିକ୍ଷକ ମଧ୍ୟ ମୁକ୍ତ କଣ୍ଠରେ ଭୂୟସୀ ପ୍ରଶଂସା କଲେ। କଠୋର ଶାସନ କରିବା ପାଇଁ ତାଙ୍କ ବାପା ତାଙ୍କୁ ପ୍ରଚଣ୍ଡ ପ୍ରହାର କଲେ। କିଛି ଦିନପରେ ତାଙ୍କ ଭଉଣୀ ଜାହ୍ନବୀ ପଚାରିଲେ,”ଭାଇ ତୁ ତ ପିଲାଟିଏ, ପୁଣି ଏଡିକି ଧଡିଆ ହୋଇଛୁ।ଇନ୍ଦ୍ର ଅଭିନୟ କଲୁ କିପରି”।ସେ ଉତ୍ତର ଦେଲେ,” ମନେ ମନେ ମୁଁ ନିଜକୁ ଜଣେ ଦେବତାର ସବୁ ଗୁଣ ଅଛି ବୋଲି ଭାବି ନେଲି।”ଲକ୍ଷ୍ମୀକାନ୍ତଙ୍କ ରେଭେନ୍ସା ମହାବିଦ୍ୟାଳୟ ଛାତ୍ରାବାସ ସମୟର ଘଟଣା। ସେତେବେଳେ ତଳ ଶ୍ରେଣୀ ଓ ଉପର ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ ଥିଲା ଦୁସ୍ତର ବ୍ୟବଧାନ। ଗୋଟିଏ ପଟେ ନମ୍ରତା ଓ ଅନ୍ୟ ପଟେ ଗାମ୍ଭୀର୍ଯ୍ଯ ଅତି ସ୍ଵାଭାବିକ ବୋଲି ମନେ କରାଯାଉଥିଲା। ଲକ୍ଷ୍ମୀକାନ୍ତ ଏହି ହିସାବ ଓ ବ୍ୟବଧାନର ଧାର ଧାରୁ ନଥିଲେ। ସେତେବେଳେ ଲକ୍ଷ୍ମୀକାନ୍ତଙ୍କ ତଳ ଶ୍ରେଣୀରେ ପଢୁଥାନ୍ତି କୃଷ୍ଣ ପ୍ରସାଦ ବସୁ। ଦୁହେଁ ଦୁହିଁଙ୍କୁ ପ୍ରଗାଢ ସ୍ନେହ ଓ ଶ୍ରଦ୍ଧାରେ ଆପଣାର କରି ପାରିଥିଲେ।।×× ×× ×× ××ଆମ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ସଙ୍ଗୀତର ମାନ୍ୟତା ପାଇଛି। ‘ବନ୍ଦେ ଉତ୍କଳ ଜନନୀ’ ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଲୋକମାନେ ଯୁଗ ଯୁଗ ଧରି ମନେ ରଖିବେ।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସବୁବେଳେ ସହଯୋଗର ହାତ ବଢ଼ାଇଥିଲେ ତାଙ୍କ ସାନପୁଅ ସ୍ଵାଧୀନତା ସଂଗ୍ରାମୀ, ବିଶିଷ୍ଟ କବି, ଲେଖକ, ସମାଜସେବୀ ଓ ଶିକ୍ଷାବିତ ଗୈାରଚନ୍ଦ୍ର ମହାପାତ୍ର। ତାଙ୍କର ପ୍ରଚଣ୍ଡ ସାରସ୍ଵତ ପ୍ରତିଭା ଥିବା ସତ୍ତ୍ବେ ସେ ନିଜ ପ୍ରତି ଦୃଷ୍ଟି ନଦେଇ ତାଙ୍କ ପିତାଙ୍କର ସେବା କରିବା ସହିତ ତାଙ୍କ ଲେଖା ମାନଙ୍କର ରକ୍ଷଣାବେକ୍ଷଣ କରିଥିଲେ। ଗୈାରଚନ୍ଦ୍ର ମହାପାତ୍ର ଥିଲେ ପ୍ରଚାର ବିମୁଖ ଓ ପିତୃଭକ୍ତ।ସେ ତାଙ୍କ ପିତାଙ୍କ ପାଖେ ପାଖେ ରହି ତାଙ୍କ ସାରସ୍ଵତ ସୃଷ୍ଟି ସମୂହକୁ ଲୋକଲୋଚନକୁ ଆଣିବାର ଦାୟୀତ୍ୱ ନିର୍ବାହ କରିଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ମହାପ୍ରୟାଣ ହୋଇଥିଲା ୨୪ ଫେବୃଆରୀ,୧୯୫୩ ମସିହାରେ। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସମ୍ପର୍କରେ ସାହିତ୍ୟିକ ଡକ୍ଟର କୁଞ୍ଜବିହାରୀ ଦାଶ ଲେଖିଥିଲେ, ” ମାଟି ତଳେ ହଜିଗଲାଯେ ଅତୀତ ଯେ ଗୈାରବ ଆଶାତୁମେ ତାରେ ଦେଇଅଛ ଅମୃତର ଆଶୀର୍ବାଦ ସଞ୍ଜିବନୀ ଭାଷା।”ଆଲେଖ୍ୟ:: ବାବାଜୀ ଚରଣ ଦାସ ।।ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।ବର୍ତ୍ତମାନ ନୋଇଡା ରେ।
