ଦିବ୍ୟାଙ୍ଗ ସ୍ତ୍ରୀର ଶିଶୁ କନ୍ୟା ଜନ୍ମ ହେବା ପରେ ଘରେ ପୁରାଇ ଦେଉନି ସ୍ବାମୀ
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଘାଗୁଡିମାଳ ଗାଁର ଦିବ୍ୟାଙ୍ଗ ଯୁବତୀ ଲଛମା ନୁଆ ସରେଇ । ବୟସ ମାତ୍ର ୨୧ ବର୍ଷ । ଗାଁର ବିବାହିତ ପୁରୁଷ ଧନୁ ନାଗବଂଶ ଯୁବତୀ ଜଣକୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୃତି ଦେଇ ତା ସହ ବାରମ୍ବାର ଶାରିରୀକ ସଂପର୍କ ରଖୁଥିଲା ।
କିଛି ମାସ ପରେ ଦିବ୍ୟାଙ୍ଗ ଲଛମା ଗର୍ଭବତୀ ହୋଇଯିବା ପରେ ପ୍ରେମିକ ଧନୁ ଆଉ ଲଛମାକୁ ଗ୍ରହଣ ନକରି ଅଧାବାଟରେ ଛାଡି ଚାଲିଗଲା । ଏନେଇ ଗ୍ରାମରେ ନ୍ୟାୟ ପଞ୍ଚାୟତ ହେବା ପରେ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଧନୁ ନାଗବଂଶ ଦିବ୍ୟାଙ୍ଗ ଲଛମାକୁ ମଥାରେ ସିନ୍ଦୁର ଦେଇ ଜୀବନ ସାଥୀ କରିବାକୁ ପ୍ରତିଶ୍ରୃତି ଦେଲା । ହେଲେ କିଛି ଦିନ ପରେ ଲଛମାକୁ ଧନୁ ପ୍ରତାରଣା କରି ଛାଡିଦେଲା । ଗତ ଗୁରୁବାର ଦିନ ଲଛମା ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଏନେଇ ପରିବାର ଲୋକେ ପ୍ରେମିକ ଧନୁକୁ ଖବର ଦେବା ପରେ ମଧ୍ୟ ନିଜ ସ୍ତ୍ରୀ ଆଉ ଶିଶୁକୁ ଦେଖା କରିବାକୁ ଆସିନଥିବା ବେଳେ ଭୟରେ କୁଆଡ଼େ ଚାଲିଯାଇଛି ।ଏନେଇ ପରିବାର ଲୋକେ କଲ୍ୟାଣସିଂହପୁର ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଦିବ୍ୟାଙ୍ଗ ଲଛମାକୁ ଏଯାଏଁ ନ୍ୟାୟ ମିଳିନାହିଁ । ସେହିପରି ଲଛମା ମହିଳା ସହାୟତା କେନ୍ଦ୍ର ୱାନ୍ ଷ୍ଟପ୍ ସେଣ୍ଟର ଓ ମାନବାଧିକାର କମିଶନର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ତଥାପି ତାଙ୍କୁ ନିରାଶ ହେବାକୁ ପଡିଛି ।
