ଦରକାର ହେବନି ଆଧାରକାର୍ଡ କି ତାର ଜେରକ୍ସ କପି।
ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଖୁବ୍ଶୀଘ୍ର ଆଉ ଆଧାର କାର୍ଡ କିମ୍ବା ଫିଜିକାଲ କାର୍ଡର ଫଟୋ କପି ଆବଶ୍ୟକ ପଡିବ ନାହିଁ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଆଧାର। ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି। ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି।
ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି। ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍ ଆଇଡି ଥିବା ଆଧାର ମୋବାଇଲ ଆପ୍ ଶୁଭାରମ୍ଭ ହୋଇଛି।ମୋଦି ସରକାରଙ୍କ ଏହି ନୂତନ ପଦକ୍ଷେପ ଅଧୀନରେ, ଏବେ QR କୋଡ ଏବଂ ଫେସ ଆଇଡି ମାଧ୍ୟମରେ ତୁରନ୍ତ ଆଧାର ଚିହ୍ନଟ କରାଯାଇପାରିବ। ଏହି ଆପ କେବଳ ଆଧାରର ସୁରକ୍ଷାକୁ ସୁଦୃଢ଼ କରିବ ନାହିଁ ବରଂ ଏହାକୁ ବ୍ୟବହାର କରିବାକୁ ମଧ୍ୟ ସହଜ କରିବ।ଏହି ଆପ୍ ଦ୍ୱାରା ୟୁଜରମାନେ ସେମାନଙ୍କ ଆଧାର ବିବରଣୀ ଡିଜିଟାଲ ଭାବେ ସେୟାର କରିପାରିବେ। ସେମାନଙ୍କୁ ଆଧାର କାର୍ଡ କିମ୍ବା ଏହାର କପି ଦେବାକୁ ପଡ଼ିବ ନାହିଁ । ଏଥିରେ ତଥ୍ୟ ଲିକ୍ ହେବନାହିଁ । ୟୁପିଆଇ ପେମେଣ୍ଟରେ କ୍ୟୁ ଆର୍ କୋଡ୍ ସ୍କାନ ଭଳି ସହଜ ହେବ ଆଧାର ଭେରିଫିକେସନ୍। ଏହି ପ୍ରକ୍ରିୟା ଶହେ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ।
