ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା

ରାଜ୍ୟର ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଏହା ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ସବୁ ସିଡିଏମଓଙ୍କୁ ଚିଠି କରାଯାଇଛି ।ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି ।

ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।

You might also like