ଆଜିଠୁ ବଜେଟ ଅଧିବେଶନ । ସରଗମରମ ହେବ ବିଧାନସଭା ।
ଆଜିଠୁ ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ। ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହେବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ। ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ଜରିଆରେ ନଜର ରଖାଯିବ।ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍।
ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିବେ। ତେବେ ଦୁଇଟି ପର୍ୟ୍ୟାୟରେ ମୋଟ ୨୮ ଦିନର କାର୍ୟ୍ୟ ଦିବସ ରହିଛି।ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ଧାନକିଣାରେ କଟନିଛଟନି ଓ ହେରଫରକୁ ପ୍ରମୁଖ ଅସ୍ତ୍ର କରିବେ ବିରୋଧୀ । କଣାସ ହଇଜା, ବାରବାଟୀ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣା, ଆଇଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେଡିର ରଣନୀତି ପ୍ରସ୍ତୁତି । ସେହିପରି କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା ଆଦି ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲ ହେବ।
