ଜାତିସଂଘରେ ଫେଲ୍ ମାରିଲା ପାକିସ୍ତାନର ଡ୍ରାମା ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ରୁଦ୍ଧଦ୍ୱାର ବୈଠକ। ପାକିସ୍ତାନର ଅନୁରୋଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ବୈଠକ ବସିଥିଲା। ଏହି ବୈଠକ କୌଣସି ନିଷ୍କର୍ସ ବାହାରିନଥିଲା। ସୋମବାର UNSCରେ ଦେଢ଼ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ପରେ ପାକିସ୍ତାନ ଲଜ୍ଜାର ସମ୍ମୁଖୀନ ହୋଇଥିଲା। ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ । ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଛି ।
ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନ୍ଏସ୍ସି । ତେବେ ଭାରତ ସହ ଆଲୋଚନା କରି ସ୍ଥିତି ସମ୍ଭାଳିବାକୁ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଜାତିସଂଘ । ତେବେ ପାକିସ୍ତାନ UNSCକୁ ମିଥ୍ୟା ବୟାନ ଦେଇ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ଅଟାରୀ ସୀମା ବନ୍ଦ କରିବା, କୂଟନୈତିକ ସମ୍ପର୍କକୁ ଆହୁରି ହ୍ରାସ କରିବା ଏବଂ ଆତଙ୍କବାଦ ବିରୋଧରେ ଭାରତର କଠୋର ଏବଂ ନିର୍ଣ୍ଣାୟକ ମନୋଭାବ ଭଳି ଭାରତର କାର୍ଯ୍ୟ ଏହି ଅଞ୍ଚଳରେ ଅସ୍ଥିରତା ବୃଦ୍ଧି କରୁଛି।
