ପାନୀୟ ଜଳ କାମରେ ବିଳମ୍ବ ହେଲେ FIR
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ । ଏଣିକି ପାନୀୟଜଳ ପ୍ରକଳ୍ପ କାମରେ ଠିକା କମ୍ପାନି ବିଳମ୍ବ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ହେବ ଏଫଆଇଆର । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । ତେବେ ମନ୍ତ୍ରୀ କହିଛନ୍ତି,ପୂର୍ବରୁ ପାଇପ୍ ଥିଲା, ପାଣି ନଥିଲା । ଏବେ ପ୍ରତିଘରେ ପାଣି ନହେଲେ କାମ ସମାପ୍ତ ହୋଇଛି ବୋଲି ଧରାଯିବନି । କାମ ଧିମା ବିଷୟରେ ବିଭାଗ ଅବଗତ ଅଛି । ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା କିନ୍ତୁ ୫୨ ପ୍ରକଳ୍ପ କାମ ସରିଛି । ଜୁନ୍ ସୁଦ୍ଧା ୭୨ ପ୍ରୋଜେକ୍ଟର କାମ ସରିବ । ସେହିପରି ୨୦୨୫ ସୁଦ୍ଧା ଆଉ ୪୦ ପ୍ରୋଜେକ୍ଟ ହେବ । ଖାଲି ଏତିକି ନୁହେଁ ବରଂ ପାହାଡ଼ିଆ ଅଂଚଳରେ କେମିତି ପାଣି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
