ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ।

ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ତେବେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୫ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

You might also like