ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ -ସୁରେଶ ପୂଜାରୀ
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ବୁଧବାର ହେବାକୁ ଥିବା ମକ୍ ଡ୍ରିଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବୁଧବାର ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ ।ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀଙ୍କ ମକ୍ ଡ୍ରିଲ୍ରେ ଭୂମିକା ରହିବ । ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । ଏହି ମକ ଡ୍ରିଲ ସମୟରେ ବ୍ଲାକଆଉଟ ହେବ।
ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନର ଅନ୍ଧାର ହୋଇଯିବ। ଏହା ସହିତ ଜୋରରେ ସାଇରନ ମଧ୍ୟ ବଜାଯିବ। ସାଇରନ ଶୁଣିବା ମାତ୍ରେ ଲୋକଙ୍କୁ ସତର୍କ ରହିବାକୁ ପଡିବ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଆକ୍ରମଣ ସମୟରେ ନାଗରିକମାନଙ୍କୁ ବଞ୍ଚିବା ପାଇଁ ତାଲିମ ଦିଆଯିବ। ଅନ୍ୟପଟେ ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ। ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍। ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ। ପୁଣି ସାଇରନ୍ ବାଜିଲେ ମକ୍ ଡ୍ରିଲ୍ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।
