ଆଜି ଉଦଘାଟିତ ହେବ ବିଶ୍ବର ଉଚ୍ଚତମ ରେଲୱେ ବ୍ରିଜ। 

ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଲୱେ ଲିଙ୍କ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ବ୍ରିଜ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯାତାୟତକୁ ସହଜ କରିବ । ଭାରତର କୁତବ ମିନାର ଓ ପ୍ୟାରିସର ଆଇଫେଲ ଟାୱାର ଠାରୁ ଉଚ୍ଚ ଚେନାବ ରେଲୱେ ବ୍ରିଜର ଉଚ୍ଚତା ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ବା ୧୧୭୮ ଫୁଟ ରହିଛି ।କୁତବ ମିନାର ଉଚ୍ଚତା ୭୨ ମିଟର ଥିବାବେଳେ ଆଇଫେଲ ଟାୱାରର ଉଚ୍ଚତା ୩୨୪ ମିଟର ରହିଛି । ଷ୍ଟିଲ ଆର୍କ ଡିଜାଇନରେ ନିର୍ମିତ ଏହି ବ୍ରିଜର ମୁଖ୍ୟ ଆର୍କର ଦୈର୍ଘ୍ୟ ୪୬୭ ମିଟର ବା ୧୫୩୨ ଫୁଟ ରହିଛି । ୧୩୧୫ ମିଟର ବା ୧.୩ କିଲୋମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୭ ହଜାର ଟନ ଷ୍ଟିଲ ବ୍ୟବହୃତ ହୋଇଛି। ଉନ୍ନତ ଜ୍ଞାନକୌଶଳ ଓ ସ୍ୱଦେଶୀ ଇଞ୍ଜିନିୟରିଂରେ ନିର୍ମିତ ଏହି ବ୍ରିଜ ବିଭିନ୍ନ ଭୂମିକମ୍ପ, ଘୂର୍ଣ୍ଣିବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ସାମ୍ନା କରିପାରିବ। ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ପବନ ବହୁ କିମ୍ବା ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପ ହେଉ ସବୁ କିଛି ସହିପାରିବ ଏହି ବ୍ରିଜ । ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ।

You might also like