ନନ୍ଦନକାନନରେ ଟୟ ଟ୍ରେନ ଲାଇନଚ୍ୟୁତ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ।
ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଘଟିଛି। ୫୭ ଜଣ ପର୍ଯ୍ୟଟକଙ୍କୁ ନେଇ ପରିଭ୍ରମଣ କରାଇବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜଙ୍ଗଲ ମଝିରେ ଟୟଟ୍ରେନ୍ ଅଟକି ଯାଇଛି।। ଟୟ ଟ୍ରେନର ଇଞ୍ଜିନ ଓ ବ୍ୟାଟେରୀ ବଗିକୁ ସଂଯୋଗ କରୁଥିବା ଅନ୍ୟ ୩ଟି ପର୍ଯ୍ୟଟକ ବସିବା ବଗିଗୁଡ଼ିକ ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା ।
ବଗିଗୁଡ଼ିକୁ ସଂଯୋଗ କରି ଧରି ରହିଥିବା ଏୟାର ପାଇପ୍ ଏବଂ ହୁକ ଗୁଡ଼ିକ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଅନ୍ୟ ଗାଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲେ । ପରେ ଟୟ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ସେମାନଙ୍କ ଟିକେଟ ପଇସା ଫେରାଇ ଦିଆଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି ।ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ନଭେମ୍ବର ୮ତାରିଖରେ ନନ୍ଦନକାନନରେ ଏହି ଆଧୁନିକ ବ୍ୟାଟେରି ଚାଳିତ ଟୟଟ୍ରେନ୍ ଆରମ୍ଭ ହୋଇଥିଲା। ଚାଲିବାର ଠିକ୍ ୮ ଦିନ ପରେ ଇଞ୍ଜିନ୍ରେ ନିଆଁ ଲାଗିବାରୁ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା। କିଛି ଦିନ ପରେ ମରାମତି କରି ପୁଣି ଚାଲୁ କରାଯାଇଥିଲା। ହେଲେ ଏହା ପରେ ବି ମଝିରେ ମଝିରେ ଖରାପ ହେଉଥିଲା। ଚଳାଚଳ ହେବା ଦିନଠାରୁ ଏଭଳି ବାରମ୍ୱାର ଅଚଳ ହେବାକୁ ନେଇ ଟୟଟ୍ରେନ୍ ପର୍ଯ୍ୟଟକଙ୍କ ଆସ୍ଥା ହରାଇବାରେ ଲାଗିଛି।
