ପୌର ନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ବିଜେପି
ପୁଣି ହେବ ପୌର ନିର୍ବାଚନ । ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର । ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।ସାଧାରଣ ନିର୍ବାଚନକୁ ବର୍ଷେ ପୁରିନଥିବା ବେଳେ ନିଜ ଦଳର ଲୋକପ୍ରିୟତା ପରଖିବାକୁ ପୌର ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ଶାସକ ବିଜେପି । ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଜେପି ଅତି ଗୋପନୀୟ ଭାବେ ଏହି ୩ ସ୍ଥାନରେ ଭିତିରି ସର୍ଭେ ସାରିଥିବା କୁହାଯାଉଛି । ପୌର ନିର୍ବାଚନ ଆଳରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ କେତେ ପ୍ରସ୍ତୁତ ତାହା ଜାଣିବାକୁ ଚାହୁଛନ୍ତି ବିଜେପିର ଷ୍ଟ୍ରାଟେଜି ମେକର ।ହାଇକୋର୍ଟଙ୍କ ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ।
ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
