ସରକାରୀ ଚାକିରି ଛାଡି ୪କୋଟି ଟଙ୍କା ବାଛିଲେ ଭିନେଶ

କୁସ୍ତି ଯୋଦ୍ଧା ତଥା ଜୁଲାନାରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ ସରକାରଙ୍କୁ ନିଜ ପସନ୍ଦ ଜଣାଇଛନ୍ତି । ତାଙ୍କୁ ସରକାରୀ ଚାକିରି, ପ୍ଲଟ୍ କିମ୍ୱା ୪ କୋଟି ଟଙ୍କା କ୍ୟାସ୍ ବିକଳ୍ପ ଦିଆଯାଇଥିଲା । ୨୦୨୪ ପ୍ୟାରିସ୍ ଅଲିମ୍ପିକରେ ସେ ଫାଇନାଲ୍ ଯାଏଁ ପହଞ୍ଚିଥିଲେ । କିନ୍ତୁ ୧୦୦ ଗ୍ରାମ ଓଜନ ଅଧିକ ହେବା ଯୋଗୁଁ ସେ ଫାଇନାଲ୍ ମୁକିବାଲ୍ ଖେଳିବା ପାଇଁ ଅଯୋଗ୍ୟ ହୋଇଥିଲେ । ଅଲିମ୍ପିକ୍ସରୁ ଅଯୋଗ୍ୟତା ବିବାଦ ପରେ, ଭିନେଶ କୁସ୍ତିରୁ ଅବସର ନେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ, ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରି ଜୁଲାନା ଆସନରେ ବିଜୟୀ ହୋଇଥିଲେ। ନିକଟରେ, ହରିୟାଣା ସରକାର ତାଙ୍କ ସମ୍ମୁଖରେ ତିନୋଟି ବିକଳ୍ପ ରଖିଥିଲେ, ଏବେ ଏକ ଅପଡେଟ ଆସିଛି ଯେ ଏଥିମଧ୍ୟରୁ ଭିନେଶ ଗୋଟିଏ ବିକଳ୍ପ ବାଛିଛନ୍ତି।ଖବର ଅନୁସାରେ ଫୋଗାଟ ହରିୟାଣା ସରକାରଙ୍କ ୪ କୋଟି ଟଙ୍କାର ଅଫର୍‌କୁ ସ୍ୱୀକାର କରିଛନ୍ତି । ଫୋଗାଟଙ୍କ ସହମତି ପତ୍ର ଖେଳ ବିଭାଗକୁ ମିଳିସାରିଛି । କୁସ୍ତି ଯୋଦ୍ଧାଙ୍କୁ ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନାୟକ ସିଂହ ସୈନୀ ଫୋଗାଟଙ୍କୁ ରୌପ୍ୟ ବିଜେତାଙ୍କ ପରି ସମ୍ମାନ କରିବେ ବୋଲି ଘୋଷଣା କରିଥିଲେ । ଭିନେଶ କହିଛନ୍ତି ଯେ ସରକାର ତାଙ୍କ ପାଇଁ ଅଲିମ୍ପିକ୍ସରେ ରୌପ୍ୟ ପଦକ ସହିତ ସମାନ ପୁରସ୍କାର ଘୋଷଣା କରିଥିଲେ, କିନ୍ତୁ ୮ ମାସ ପରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇ ନାହିଁ।
ଭିନେଶଙ୍କ ଦାବି ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ଉତ୍ତର ଦେଇଥିଲେ ଯେ ଯଦିଓ ସେ ବର୍ତ୍ତମାନ କଂଗ୍ରେସ ବିଧାୟକ, ତଥାପି ତାଙ୍କୁ ସରକାରୀ ଚାକିରି, ଏକ ପ୍ଲଟ କିମ୍ବା ୪କୋଟି ଟଙ୍କାର ନଗଦ ପୁରସ୍କାରର ବିକଳ୍ପ ଦିଆଯିବ। ରିପୋର୍ଟ ଅନୁଯାୟୀ, ଏହାର ଜବାବରେ, ଭିନେଶ ୪ କୋଟି ଟଙ୍କାର ନଗଦ ପୁରସ୍କାର ପାଇଁ ରାଜି ହୋଇଛନ୍ତି।

You might also like