ଅନୀତା ଦାସଙ୍କ ବିଷୟ ରେ କିଛି ଜଣାଅଜନା କଥା
ପିତା ବନମାଳି ଦାସ ଓ ମାତା ସତ୍ୟଭାମାଙ୍କ ଔରସରୁ ଅନୀତାଙ୍କ ଜନ୍ମ 1957 ମସିହା , ଅକ୍ଟୋବର 1 ତାରିଖରେ । ଜନ୍ମସ୍ଥାନ, ଯାଜପୁର ରୋଡର ଡୋଲିପୁର । ପିଲାବେଳୁ ସେ ବଢିଥିଲେ ଆଧ୍ୟାତ୍ମିକ ପରିବେଶରେ । ଜଣେ ଓଡିଶୀ ନୃତ୍ୟଙ୍ଗନା ଭାବେ ଶ୍ରୀ ଜଗନ୍ନାଥ ଥିଲେ ତାଙ୍କ ଆରାଧ୍ୟ ଦେବତା । ଚଳଚ୍ଚିତ୍ର ଜଗତରେ ପ୍ରବେଶ କଲା ପରେ ପରେ ମଧ୍ୟ ଆଧ୍ୟାତ୍ମିକ ବିଚାରଧାରାରୁ ସେ ବିଚ୍ୟୁତ ହୋଇନଥିଲେ । ବରଂ ନଜ ଅଭିନୟ ଜୀବନ ସହ ତାକୁ କରିଥିଲେ ଏକାତ୍ମ । ପୌରାଣିକ କାହାଣୀ ନ’ହେଲେ ମଧ୍ୟ ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ରର ନାମ ଥିଲା ଶ୍ରୀ ଜଗନ୍ନାଥଙ୍କ ନାମରେ ।
‘ପୁଅ ମୋର କଳା ଠାକୁର’, ‘କୋଟିଏ ମଣିଷ ଗୋଟିଏ ଜଗା’, ‘ରାମ ବଳରାମ’, ‘ବାହୁଡିବେ ମୋ ଜଗାବଳିଆ’ଏହାର ଉଦାହରଣ । 1988ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପୁଅ ମୋର କଳା ଠାକୁର’ରେ ମା’ ଭୂମିକାରେ ଅଭିନୟ କରିଥିଲେ ଅନୀତା । ଭାବ ଦଗ୍ଧ ହୋଇ ଖୋଜିଥିଲେ, କଳା ଠାକୁରକୁ ।
ସବ୍ୟସାଚୀ ମହାପାତ୍ରଙ୍କ ‘ବାହୁଡିବେ ମୋ ଜଗା ବଳିଆ’ର ପୁନର୍ଜନ୍ମ କାହାଣୀରେ ଜଗାବଳିଆଙ୍କୁ ଫେରି ପାଇବା ପାଇଁ ତାଙ୍କ ବିଶ୍ବାସ ଓ ଭକ୍ତି ଆକୃଷ୍ଟ କରିଥିଲା ଦର୍ଶକଙ୍କୁ । କିଛି ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଥିଲେ ଅନୀତା ଦାସ । ପୌରାଣୀକ ଚରିତ୍ର ଯଶୋଦା କିମ୍ବା ଦେବକୀର ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।
