ଆଜିଠୁ ବଢିଲା ସ୍ପିଡ୍ ପୋଷ୍ଟର ମୂଲ୍ୟ, ଭାରତୀୟ ଡାକ ବିଭାଗ ପକ୍ଷରୁ ଘୋଷଣା
ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା ଆଜିଠାରୁ ଲାଗୁ ହୋଇଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ସେବାର ଆଧୁନିକିକରଣକୁ ଧ୍ୟାନରେ ରଖି ୧୩ ବର୍ଷ ପରେ ନୂଆ ଶୁଳ୍କ ଘୋଷଣା କରାଯାଇଛି ।ନୂଆ ଶୁଳ୍କ ଅନୁଯାୟୀ, ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ପିଡ ପୋଷ୍ଟର ମୂଲ୍ୟ ୧୯ ଟଙ୍କା ରହିବ । ଅଧିକ ୨୦୦ କିଲୋମିଟର ଦୂରତା ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ଡକ୍ୟୁମେଣ୍ଟ ଏବଂ ପାର୍ସଲ ପଠାଇବା କ୍ଷେତ୍ରରେ ପ୍ରେରକଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ମୂଲ୍ୟ ଯୁକ୍ତ ସେବା ଲାଗି ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ ଉପରେ ୫ ଟଙ୍କାର ନାମମାତ୍ର ଶୁଳ୍କ ଏବଂ ପ୍ରଯୁଯ୍ୟ ଜିଏସ୍ଟି ଲାଗିବ । ସେହିଭଳି ଓଟିପି ବିତରଣ ମୂଲ୍ୟଯୁକ୍ତ ସେବା ଲାଗି ମଧ୍ୟ ୫ ଟଙ୍କା ଏବଂ ପ୍ରଯୁଯ୍ୟ ଜିଏସ୍ଟି କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନପତ୍ର ପଠାଉଥିଲେ ୧୦% ରିହାତି ପାଇବେ । ସେହିଭଳି ନୂତନ ବଲ୍କ ଗ୍ରାହକଙ୍କ ପାଇଁ ୫ ପ୍ରତିଶତ ସ୍ୱତନ୍ତ୍ର ରିହାତି ମିଳିବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା ।
