ଆଜି ଜାତୀୟ କୃଷକ ଦିବସ

ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ । ତାଙ୍କର ସମଗ୍ର ରାଜନୈତିକ ଜୀବନ କୃଷକ, କୃଷି ଶ୍ରମିକ ଏବଂ ଗ୍ରାମୀଣ ଅର୍ଥନୀତିର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ସେହିପରି ଭାରତୀୟ କୃଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଏହା ଏକ ବିଶେଷ ଅବସର। ୧୯୦୨ ମସିହା ଡିସେମ୍ବର ୨୩ ତାରିଖରେ ଉତ୍ତରପ୍ରଦେଶର ହାପୁର ଜିଲ୍ଲା (ବର୍ତ୍ତମାନର ମିରଟ୍‌) ଅନ୍ତର୍ଗତ ନୂପୁର ଗ୍ରାମରେ ଏକ ମଧ୍ୟବିତ୍ତ ଜାଠ ପରିବାରରେ ଜନ୍ମିତ ଚରଣ ସିଂହ କୃଷିକ୍ଷେତ୍ର ଏବଂ କୃଷକମାନଙ୍କର ମଙ୍ଗଳ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଥିଲେ।

ଦେଶର ବୃହତ୍ତମ କୃଷିଭିତ୍ତିକ ରାଜ୍ୟ ଉତ୍ତରପ୍ରଦେଶର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ସ୍ବର୍ଗତ ସିଂହ ଜମି ସଂସ୍କାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ୧୯୫୨ରେ ସେ କେନ୍ଦ୍ର କୃଷି ମନ୍ତ୍ରୀ ଥିଲା ବେଳେ ଜମିଦାରି ପ୍ରଥା ଉଚ୍ଛେଦ ପାଇଁ ଉତ୍ତରପ୍ରଦେଶର ନେତୃତ୍ବ ନେଇଥିଲେ। ଏଥି ସହିତ କୃଷକମାନଙ୍କ ମଧ୍ୟରେ ଏକତା ସ୍ଥାପନ ସହ ଗ୍ରାମାଞ୍ଚଳ କୃଷକଙ୍କୁ ଅନ୍ୟାୟ ବିରୋଧରେ ସଚେତନ କରିବା ଲାଗି ୧୯୭୮ରେ ସେ କିଷାନ ଟ୍ରଷ୍ଟ୍‌ ନାମରେ ଏକ ଅଣରାଜନୈତିକ ସଂଗଠନ ଗଢ଼ିଥିଲେ।