ଆସନ୍ତାକାଲି ନିଜର ସବୁଠାରୁ ଭାରୀ ସାଟେଲାଇଟ୍ ଲଞ୍ଚ କରିବ ଇସ୍ରୋ
କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ହେବ । ଏହାକୁ ଇସ୍ରୋର ଶକ୍ତିଶାଳୀ ରକେଟ୍, LVM3-M5 ଦ୍ୱାରା ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ପ୍ରେରଣ କରାଯିବ । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ ଏବଂ ସାମୁଦ୍ରିକ କ୍ଷେତ୍ରରେ ଡିଜିଟାଲ୍ କଭରେଜ୍ ଏବଂ ଯୋଗାଯୋଗ ସେବାକୁ ସୁଦୃଢ଼ କରିବ ।ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ବିଶେଷକରି ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । LVM3 ମିଶନ୍ ରେ ବ୍ୟବହୃତ ହେଉଥିବା LVM3-M5 ହେଉଛି ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ ଏବଂ ଏହାର ଏହା ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ । ପୂର୍ବରୁ ଏହା ଚନ୍ଦ୍ରଯାନ-୩ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ୍ କୁ ସଫଳତାର ସହ ଅନ୍ତରୀକ୍ଷକୁ ନେଇଛି । ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଏହା ସହିତ ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଏହା ଅତ୍ୟନ୍ତ ସହାୟକ ହେବ ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ କରାଯିବ । ଇସ୍ରୋ କହିଛି ଯେ ଉପଗ୍ରହକୁ ଲଞ୍ଚ୍ ରକେଟ୍ ସହିତ ସଂଯୁକ୍ତ କରାଯାଇଛି ଏବଂ ଲଞ୍ଚ୍ ପ୍ୟାଡ୍ରେ ରଖାଯାଇଛି । ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ନଭେମ୍ବର ୨ ସନ୍ଧ୍ୟା ପ୍ରାୟ ୫.୨୬ରେ ଲଞ୍ଚ୍ କରାଯିବାର ଯୋଜନା ରହିଛି ।
