ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି
ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସ୍ବାଧା ହେଉଛନ୍ତି ସମର୍ଥଙ୍କ ସ୍ତ୍ରୀ। ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କୁ ୩ ସପ୍ତାହ ଭିତରେ ରିଲିଭ କରିବା ଲାଗି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛି। ସମର୍ଥ ଏବଂ ସ୍ବାଧାଙ୍କୁ ୩ ଦିନ ବ୍ୟବଧାନରେ କେନ୍ଦ୍ରରେ ନିଯୁକ୍ତି ମିଳିଛି। ସମର୍ଥ ବର୍ମା ଏବେ ରାଜ୍ୟ ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ସମର୍ଥ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦାୟିତ୍ୱ ନେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଦିଆ ନ ଯିବା ଯାଏ ପାଇଥିବା ଦାୟିତ୍ୱ ତୁଲାଇବେ। ସେହିପରି, ୨୦୧୪ ବାଥ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ନୂଆଦିଲ୍ଲୀର ଆରଜିଆଇ (ମୁଖ୍ୟାଳୟ) କାର୍ଯ୍ୟାଳୟରେ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ / ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଉପସଚିବ ସ୍ତରୀୟ) ପଦବୀରେ ନିଯୁକ୍ତି ଦିଆଯାଇଥିଲା।
