କଖାରୁ ଫୁଲ, ଟସର ପୋକରୁ ଔଷଧ ପ୍ରସ୍ତୁତି ପ୍ରୟାସ
ଏଣିକି ମାରାତ୍ମକ ଚର୍ମ କର୍କଟ ରୋଗର ନିରାକରଣ ପାଇଁ ଗବେଷଣାରୁ ପ୍ରସ୍ତୁତ ହେଲା ପରିବେଶ ଅନୁକୂଳ ଔଷଧ (ଏକ ପ୍ରକାର ଜେଲ) । ନାନୋ-ଫର୍ମୁଲେସନ ଉପରେ ଆଧାରିତ ଟସର ପୋକ ଓ କଖାରୁ ଫୁଲରୁ ଚର୍ମ କର୍କଟ ରୋଗର ଚିକିତ୍ସା ବିକଶିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପେଟେଣ୍ଟ ମିଳିଛି । NIT ରାଉରକେଲାର ଦୁଇ ଗବେଷକ ଡକ୍ଟର ବିସ୍ମିତା ନାୟକ ଓ ଡକ୍ଟର ଦେବାଶିଷ ନାୟକ ଏହାକୁ ଉଦ୍ଭାବନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ହ୍ୟୁମାନ ଟ୍ରାଏଲ ହୋଇନଥିଲେ ମଧ୍ୟ ଏହାର ପାର୍ଶ୍ୱ ପତିକ୍ରିୟା ପ୍ରଭାବ କିଛି ପଡୁନଥିବା ଦାବି କରିଛନ୍ତି ଦୁଇ ଗବେଷକ । ନାନୋ-ଫର୍ମୁଲେସନକୁ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ଭାବରେ କରାଯାଇଛି । ଟସର ପୋକର ଲାଳ (SILK PROTEINS)ଓ କଖାରୁ ଫୁଲ(PUMPKIN PETALS)ରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିର କୌଣସି କେମିକାଲର ବ୍ୟବହାର କରାଯାଇନାହିଁ । ଏହା ଏକ ପ୍ରକାର ଜେଲ ହୋଇଥିବା ବେଳେ ସ୍କିନ ଉପରେ ବ୍ୟବହାର କରିପାରିବେ ଚର୍ମ କର୍କଟ ରୋଗୀ । ଯାହା କେମୋ ଥେରାପିର ମଧ୍ୟ ଆବଶ୍ୟକ ପଡିବ ନାହିଁ ବୋଲି କହିଛନ୍ତି ଏନଆଇଟି ରାଉରକେଲାର ଗବେଷକ ଡାକ୍ତର ଦେବାଶିଷ ନାୟକ ।ଗବେଷକ ଡକ୍ଟର ଦେବାଶିଷ ନାୟକ କହିଛନ୍ତି, “2012ରେ ଆରମ୍ଭ ହୋଇଥିଲା ଏହି ଗବେଷଣା । ମୂଳ ଲକ୍ଷ ଥିଲା ଯେ, କିଭଳି ଭବରେ ପ୍ରାକୃତିକ ଭାବରେ ଘରେ ଓ ହାତ ପାହାନ୍ତାରେ ମିଳିପାରିବ ସ୍କିନ କ୍ୟାନ୍ସର ଔଷଧ । ଗବେଷଣାରେ ପ୍ରଥମେ କଖାରୁ ଫୁଲ ନିଆଯାଇଥିଲା । କଖାରୁ ଫୁଲରେ କ’ଣ କ’ଣ ଔଷଧୀୟ ଗୁଣ ରହିଛି ପରବର୍ତ୍ତୀ ସମୟରେ ଏହା ଜଣାପଡିଲା । ସେହିପରି ଭାବରେ ଦ୍ୱିତୀୟରେ ଟସରକୁ ମଧ୍ୟ ଆପଣାଇଯାଇଥିଲା । ସେଥିରୁ ବାହାରୁଥିବା ଏକ ଲାଳ ଭଳି ପଦାର୍ଥ (ସେରିସିନ୍ )କୁ ଗବେଷଣା କରାଯାଇଥିଲା । କାରଣ ଏହି ଲାଳ ପଦାର୍ଥକୁ ନେଇ ଅନେକ ଦେଶରେ ଆଣ୍ଟି ଏଜିଂ କ୍ରିମ ଭାବରେ ବ୍ୟବହାର କରିଥାନ୍ତି । ତେଣୁ ଟସର ପୋକରୁ ସେରିସିନ୍ ପ୍ରୋଟିନ ଓ କଖାରୁ ଫୁଲରୁ ସିଲଭର ନାନେପ୍ରାକ୍ଟିକାଲ୍ସକୁ ନେଇ ଏକ ଜେଲ ବନାଇଲୁ । ଯାହାର ନାମ ଇଥୋଜିମ୍ । ଏହାକୁ ନେଇ ଏକ ଫରମୁଲେସନ ହେଲା । ଏଥିରେ କୌଣସି କେମିକାଲ ବ୍ୟବହାର ହୋଇନାହିଁ । ସେଥିରୁ ଏକ ପ୍ରାକୃତିକ ଭାବରେ ଜେଲ ପ୍ରସ୍ତୁତ କରାଯାଇଥିଲା । ଯାହାର ପାର୍ଶ୍ୱ ପତିକ୍ରିୟା ପ୍ରଭାବ କିଛି ପଡୁନାହିଁ । ଆଗକୁ ମଣିଷଙ୍କ ଉପରେ ଟ୍ରାଏଲ କରିବାର ରହିଛି । ଏହା ବହୁତ ବଡ ଚାଲେଞ୍ଜ ରହିଥିଲା ।”ଚର୍ମ କର୍କଟ ପାଇଁ ପ୍ରସ୍ତୁତ ଏହି ଔଷଧକୁ ପେଟେଣ୍ଟ ପାଇଁ 2018ରୁ ଆବେଦନ କରାଯାଇଥିଲା । 2025 ଅଗଷ୍ଟରେ ପେଟେଣ୍ଟ ମିଳିଥିଲା ।
