କାଳଜୟୀ ସ୍ରଷ୍ଟା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ।।
ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି,ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କର ଜନ୍ମ ୧୮୯୭ ମସିହା ଡ଼ିସେମ୍ବର ୨୩ ତାରିଖ ଦିନ।ସେ ୧୯୨୯ ରେ ସାକ୍ଷୀଗୋପାଳ ନାଟକ ସଂଘ ଓ ୧୯୩୯ ରେ ଓଡ଼ିଶା ଥିଏଟର୍ସ ନାମରେ ରଙ୍ଗମଞ୍ଚ ଗଠନ କରିଥିଲେ। ତାଙ୍କ ଜନପ୍ରିୟ ନାଟକ ଗାର୍ଲ୍ ସ୍କୁଲ (୧୯୩୯)। ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟ ଶାସ୍ତ୍ର ର ‘ଭରତ ମୁନି’ କୁହାଯାଏ।ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସେ ‘କଳାହାଣ୍ଡିଆ ମେଘ’ କବିତା ଲେଖି ଭକ୍ତକବି ମଧୁସୂଦନ ରାଓ ଙ୍କ ଠାରୁ ୧୦୦ଟଙ୍କା ପୁରସ୍କାର ପାଇଥିଲେ।ଓଡ଼ିଶୀ ନୃତ୍ୟ ର ଶାସ୍ତ୍ରୀୟ ମାନ୍ୟତା ସହିତ ତାଙ୍କ ନାମ ଚୀର ସ୍ମରଣୀୟ ହୋଇ ରହିବ।
ବକୁଳ ଅମାବାସ୍ୟାରେ ଜନ୍ମିତ କାଳୀଚରଣ, ବାଙ୍କୀ ର ମହାପର୍ବତ ଦେଖି ମହାପର୍ବତ ଖଣ୍ଡ କାବ୍ୟ ରଚନା କରି ଥିଲେ। ତାଙ୍କ ରଚିତ ନୃତ୍ୟ ନାଟିକା ମଧ୍ୟରେ କଳଙ୍କ ଭଞ୍ଜନ, ଦାରିଦ୍ର୍ୟ ଭଞ୍ଜନ,ବାଂସୁରୀର ବିଳାପ,ଦେହି ପଦପଲ୍ଲବ ମୁଦାରଂ ଆଦି ୧୩ଟି ଲୀଳା ନାଟକ/ନୃତ୍ୟ ନାଟିକା ପ୍ରଧାନ। ଆଠଟି ମୁଖ୍ୟ ପୈାରାଣିକ ନାଟକ ମଧ୍ୟରେ ଧ୍ରୁବ, ମୃଗୟା, ଶକୁନ୍ତଳା, ଦଶଭୁଜା , ଐତିହାସିକ ନାଟକ ଅଭିଯାନ, ମାଳତୀ,ରକ୍ତ ମନ୍ଦାର, ଦଶଟି ଚର୍ଚ୍ଚିତ ସାମାଜିକ ନାଟକ ମଧ୍ୟରେ ପ୍ରତିଶୋଧ,ଭାତ, ହୀରାଖଣ୍ଡ, ଅନ୍ୟାନ୍ୟ ରଚନା ମଧ୍ୟରେ ବନଫୁଲ , ଯୁଗ ପୁରୁଷ,ଯୁଗେ ଯୁଗେ ଉତ୍କଳ, ରାଣୀ ସୁକଦେଈ,ହାଲ ଫେସନ ଇତ୍ୟାଦି ତାଙ୍କୁ ଚୀର ସ୍ମରଣୀୟ କରି ରଖିବ। ତାଙ୍କ ଲିଖିତ ଜୀବିତ ତର୍ପଣ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଥମ ଏକାଙ୍କିକା।ଶିଶୁ ସାହିତ୍ୟରେ ଶିଶୁ ଖେଳ ଗୀତ,ଠକ୍କର ବାପା,ସରସ ସାହିତ୍ୟ , ଏକାଙ୍କିକାରେ ପଞ୍ଚ ରଙ୍ଗ,ଯୁଗ ପୁରୁଷ ଇତ୍ୟାଦି ତାଙ୍କ ଅମର ଲେଖନୀରୁ ନିଃସୃତ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଅବିସ୍ମରଣୀୟ।ସେ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ମାଟିର ମଣିଷ ପାଇଁ ଗୀତ ରଚନା କରିଥିଲେ।ସେ ଲଳିତା କଥାଚିତ୍ରର ନିର୍ଦେଶକ ଥିଲେ।
୧୯୨୭ ମସିହା ସୁନିଆଁ ଦିନ ଗଜପତି ମହାରାଜାଙ୍କ ଦ୍ଵାରା କାଳୀଚରଣ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ଵୀକୃତି ଓ ଆଜ୍ଞା ପାଇ ଥିଲେ।
ତାଙ୍କ ଆତ୍ମ ଜୀବନୀ କୁମ୍ଭାର ଚକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଉତ୍କଳ ସାହିତ୍ୟ ସମାଜ ଦ୍ବାରା ୧୯୪୪ ରେ ନାଟ୍ଯାଚାର୍ଯ୍ଯ ଉପାଧି ଲାଭ କରିଥିଲେ।୧୯୭୪ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।।
ଆଲେଖ୍ୟ : ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର ।।
