ଖୁବଶୀଘ୍ର ଆନନ୍ଦବଜାରରେ ଅବଢାର ଦର ତାଲିକା ନିର୍ଦ୍ଧାରଣ କରାଯିବ

ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଖୁବଶୀଘ୍ର ଆନନ୍ଦବଜାରରେ ଅବଢାର ଦର ତାଲିକା ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଶୁଖୁଲି ଭୋଗ ଓ ମହାପ୍ରସାଦ ପାଇଁ ଅଲଗା ଅଲଗା ଦୋକାନରେ ବିତରଣ ସହ ସେବନ କରିବା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ବ୍ୟତୀତ ଅନ୍ୟ ଘିଅ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଆରମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେଲେ ଆନନ୍ଦବଜାରରେ ଶୃଙ୍ଖଳା ଆସିପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଦୈନିକ ୩୫ କୁଇଣ୍ଟାଲ କାଠ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ବେଳେ ଆଗକୁ ଏହାର ପର୍ଯ୍ୟାପ୍ତ ପରିମାଣ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଜୈବିକ ଚାଉଳରେ ଅନ୍ନ ରନ୍ଧନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ବେଳେ କୋଠଭୋଗ ସହ ମହାପ୍ରସାଦ ବିକ୍ରି ପାଇଁ ଏହାର ଅଧିକ ଆବଶ୍ୟକତା ରହିଥିବା ସୁଆରମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ଆଗରେ ଉପସ୍ଥାପନା କରିଛି । ଏହାସହ ଆନନ୍ଦବଜାରରେରେ ସୁପକାରଙ୍କ ସହାୟକ ମାନଙ୍କ ପାଇଁ ଡ୍ରେସକୋଡ୍ ର ବ୍ୟବସ୍ଥା ସହ ପରିଚୟପତ୍ରର ବ୍ୟବସ୍ଥା କରାଯିବ ଓ କୌଣସି ବିଶୃଙ୍ଖଳିତ ଆଚରଣ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି |