ଜିଏସ୍‌ଟି ହ୍ରାସ ପରେ, ୭୦୦ ପ୍ରଡକ୍ଟର ଦାମ୍‌ କମାଇଲା ଅମୁଲ

ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ୭୦୦ ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା ଅମୁଲ । ଏହି ନୂଆ ଦାମ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଆମୁଲର ୧ ଲିଟର ଆଇସକ୍ରିମ ଟବର ମୂଲ୍ୟ ୧୯୫ ଟଙ୍କାରୁ ହ୍ରାସ ପାଇ ୧୮୦ ଟଙ୍କା ହେବ, ଆମୁଲ ଡାର୍କ ଓ ମିଲ୍କ ଚକୋଲେଟ (୧୫୦ ଗ୍ରାମ) ୨୦୦ ଟଙ୍କାରୁ ୧୮୦ ଟଙ୍କା ହେବ, କାରଣ ଏହି ଉତ୍ପାଦର ଜିଏସଟି ୧୮%ରୁ ୫%କୁ ହ୍ରାସ ପାଇଛି। ସେହିପରି, ୫୦୦ ଗ୍ରାମ ଆମୁଲ ବଟର ୩୦୫ ଟଙ୍କାରୁ ୨୮୫ ଟଙ୍କା ଓ ୫ ଲିଟର ଘିଅ ୩,୨୭୫ ଟଙ୍କାରୁ ୩,୦୭୫ ଟଙ୍କା ହେବ, ଜିଏସଟି ୧୨%ରୁ ୫%କୁ ହ୍ରାସ ହେବା ଫଳରେ। ଆମୁଲ ପନିରରେ ଜିଏସଟି ଶୂନ ହେବା ଦ୍ୱାରା ୧ କିଲୋ ମଲାଇ ପନିର ୧୫ ଟଙ୍କା ଓ ୧ କିଲୋ ଚିଜ ବ୍ଲକ ୩୦ ଟଙ୍କା ଶସ୍ତା ହେବ।ଅନ୍ୟାନ୍ୟ ଉତ୍ପାଦ, ୟୁଏଚଟି କ୍ଷୀର, ଚକୋଲେଟ୍, ବେକେରୀ ଉତ୍ପାଦ, ଫ୍ରୋଜେନ୍ ସ୍ନାକ୍ସ, କଣ୍ଡେନ୍ସଡ୍ କ୍ଷୀର, ପିନଟ ସ୍ପ୍ରେଡ୍ ଏବଂ ମାଲ୍ଟ ଡ୍ରିଙ୍କସ ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଗୁଜରାଟ କୋ-ଅପରେଟିଭ୍ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହେଟା କହିଛନ୍ତି ଯେ, ପାଉଚ୍ କ୍ଷୀର ଉପରେ ଜିଏସଟି ଲାଗୁ ନାହିଁ, ତେଣୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମୁଲ ଏହି ମୂଲ୍ୟ ପରିବର୍ତ୍ତନ ବିଷୟରେ ବିତରକ, ଆମୁଲ ପାର୍ଲର ଓ ଖୁଚୁରା ବିକ୍ରେତାଙ୍କୁ ସୂଚନା ଦେଇସାରିଛି।