ଟାଙ୍ଗୀ-ଚୌଦ୍ୱାରରେ ଜଙ୍ଗଲ ଜମି ହଡ଼ପ ଘଟଣା: ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଆଦିବାସୀ ଯୁବକ
ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ତହସିଲ ଅଞ୍ଚଳରେ ଆଦିବାସୀମାନଙ୍କ ଅଧିନରେ ଥିବା ଜଙ୍ଗଲ ଜମି ହଡ଼ପ ଅଭିଯୋଗ ବଢ଼ିବାରେ ଲାଗିଛି। ଜଙ୍ଗଲ ଜମି ଉପରେ ସହରୀ ବାବୁଙ୍କ ଲୋଲୁପ ଦୃଷ୍ଟି ପଡ଼ୁଥିବାବେଳେ ସେଗୁଡ଼ିକୁ ବେଆଇନ ଭାବେ ହାତେଇବାରେ ଲାଗିପଡ଼ିଛନ୍ତି। ଆଦିବାସୀମାନଙ୍କ ଠାରୁ ଜମି ଛଡ଼ାଇନେବା ପାଇଁ ମୁଷ୍ଟିମେୟ ବ୍ୟକ୍ତିବିଶେଷ ଗୁଣ୍ଡା ନିୟୋଜିତ କରିବା ଭଳି ସଂଗୀନ ଅଭିଯୋଗ ଉଠିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡ଼ା ବ୍ରହ୍ମପୁର ଢିପସାହି ଦୁଧିଆନାଳୀ ଅଞ୍ଚଳରେ। ଗତ ଫେବୃଆରୀ ୧୯ତାରିଖ ଦିନ ଜଣେ ବ୍ୟକ୍ତି ଆଦିବାସୀ ବସ୍ତିରେ ଆତଙ୍କ ସୃଷ୍ଟି କରିବା ସହ ସେମାନଙ୍କ ନାମରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ତେବେ ଏହାର ପ୍ରତିବାଦରେ ସମ୍ପୃକ୍ତ ଆଦିବାସୀ ବ୍ୟକ୍ତିଜଣକ ଆଜି ଚୌଦ୍ୱାର ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ଦୁଧିଆନାଳୀ ଗ୍ରାମର ବାଇଧର କେରାଇ ନାମକ ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି କଟକ ମାଲଗୋଦାମ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ମଠ ସାହି ଅଞ୍ଚଳର ପ୍ରଭାସ ଆଚାର୍ଯ୍ୟ ଏବଂ ତାଙ୍କ ପୁତ୍ର ମାର୍କଣ୍ଡାୟ ଆଚାର୍ଯ୍ୟଙ୍କ ନାମରେ ଏହି ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୯ତାରିଖ ଅପରାହ୍ନ ସମୟରେ ନିଜ ଘର ପାଖରେ କାମ କରୁଥିବାବେଳେ ଉଭୟେ ବାପ ପୁଅ କିଛି ଗୁଣ୍ଡାଙ୍କ ସହ ଜଣେ ପୁଲିସ କନେଷ୍ଟବଳଙ୍କୁ ସଙ୍ଗରେ ଆଣି ଏଠାରେ ଡରାଇ ଧମକାଇ ଜବରଦସ୍ତ ଜମି ମାପ କରିଥିଲେ। ଏହାର ପ୍ରତିବାଦ କରିବାରୁ ଉଭୟେ ଶ୍ରୀ କେରାଇ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହ ଜେସିପି ଜରିଆରେ ଆଦିବାସୀ ସାହିକୁ ମାଟିରେ ମିଶାଇ ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଏଥିସହିତ ଜବରଦସ୍ତ ମାପଚୁପ କରିବା ସହ ତାଙ୍କ ନାମରେ ଥାନାରେ ମଧ୍ୟ ମିଥ୍ୟା ଅଭିଯୋଗ କରିଥିଲେ।

ତେବେ ସେ ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଓ ପ୍ରଶାସନ ଚାହୁଁନଥିବା ଶ୍ରୀ କେରାଇ କହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଦୁଧିଆନାଳୀ ଅଞ୍ଚଳରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ଆଦିବାସୀ ଭୂମିହୀନ ମାନଙ୍କୁ ସରକାର ୨ଏକର ଲେଖାଏ ଜଙ୍ଗଲ ଜମି ଦାନସୂତ୍ରରେ ଦେଇଥିଲେ। ଯେଉଁ ଜମିରେ ଆଦିବାସୀ ପରିବାର ପିଢ଼ି ପରେ ପିଢ଼ି ବାସ କରି ଆସୁଛନ୍ତି।

ମାତ୍ର ଏହି ଜମିକୁ କିଭଳି ସେ କିଣିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ତହସିଲ ଅଧିନରେ ଶହ ଶହ ଏକର ଜଙ୍ଗଲଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜାଲିଆତି କରି ଜମି ହାତେଇଥିବା ପ୍ରତିଷ୍ଠିତ ତଥା ମୁଷ୍ଠିମେୟ ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉନାହିଁ। ଏପରିକି ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଗଲେ ମଧ୍ୟ ଫଳ ଶୂନ। ତେଣୁ ଆଗାମୀ ଦିନରେ ଯଦି ସରକାର ଓ ପ୍ରଶାସନ ଆଦିବାସୀ ମାରଣ ନୀତି ଆପଣାନ୍ତି ତେବେ ପରିସ୍ଥିତି ଭୟାବହ ହେବ ବୋଲି ଆଦିବାସୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
