ଟିଇଟି ରାୟ: ତର୍ଜମା କରିବେ ଗଣଶିକ୍ଷା ବିଭାଗ- ଗଣଶିକ୍ଷା ମନ୍ତ୍ରୀ

ଟିଇଟି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗରେ ବିଭାଗ ତର୍ଜମା କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖାଯିବ । ଅନ୍ୟ ରାଜ୍ୟଗୁଡିକ କଣ ବିଚାରବିମର୍ଶ କରୁଛନ୍ତି ନଜର ରଖାଯିବ । ପୂର୍ୱରୁ ଅନେକ ଶିକ୍ଷକ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ ହୋଇଥିବାରୁ ବିଭାଗ ଆଲୋଚନା କରିବ । ସୂଚନାମୁତାବକ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବାପାଇଁ ଆଶାୟୀ ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ମଧ୍ୟ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କର ଚାକିରିରୁ ଅବସର ଗ୍ରହଣ କରିବାର ସୀମା ‌‌୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୨ ବର୍ଷର ସମୟସୀମା ଦିଆଯାଇଛି। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ।