ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ

ବରିଷ୍ଠ ଓଡ଼ିଆ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ(୮୮)ଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି।ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ସଚ୍ଚି ଦାସ । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।

୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।ରାଜ୍ୟର କଳାକାରଙ୍କ ମଧ୍ୟରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଥିଲା। ସେ ଅନେକ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା ଟିପଚିହ୍ନ । ଛାତ୍ରାବସ୍ଥାରେ ସେ ଗୁରୁ ଶ୍ୟାମସୁନ୍ଦର ଧୀରଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ ଜନତା ରଙ୍ଗମଞ୍ଚ ସହିତ ଜଡ଼ିତ ହୋଇଥିଲେ । ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର ଓ ଡ୍ରାମାରେ ଜମିଦାର, ସମ୍ଭ୍ରାନ୍ତ ଘରର ମୁରବୀ ଭାବରେ ଅଭିନୟ କରି ଖୁବ ସୁନାମ ଅର୍ଜି ଥିଲେ ।

You might also like