ବାସନ୍ତୀ ଦୁର୍ଗାପୂଜା ର ମାହାତ୍ମ୍ୟ ଓ କାରଣ ସମ୍ପର୍କ ରେ ଜାଣନ୍ତୁ।

ସମସ୍ତ ଦେବତା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଏକତ୍ରିତ ଭାବେ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା, ଶ୍ରୀ ବିଷ୍ଣୁ ଓ ମହେଶ୍ୱରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମର ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ। ଦେବୀ ଦୁର୍ଗା ପ୍ରକଟିତ ହୋଇ ସମସ୍ତ ଦେବତା ମାନଙ୍କ ଠାରୁ ଆୟୁଧ ଗ୍ରହଣ କଲେ। ଦେବୀ ଦୁର୍ଗା ସିଂହ ବାହିନୀ ହୋଇ ମହିଷାସୁରକୁ ଶୂଳ ଓ ଖଡ୍ଗ ଦ୍ଵାରା ବଧ କରିଥିଲେ। କେତେକଙ୍କ ମତରେ ଏହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଦିକ୍ଷଣ।

ଏହି ସମୟରେ ଦେବୀ ଦୁର୍ଗାଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ। ଏହାକୁ ବାସନ୍ତୀ ଦୁର୍ଗାପୂଜା ମଧ୍ୟ କୁହାଯାଏ। ଏହି ପର୍ବର ମହତ୍ତ୍ଵ ବିଷୟରେ ଦେବୀ ପୁରାଣରେ ବର୍ଣ୍ଣିତ ହୋଇଅଛି। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ମା’ ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ରାଜ୍ୟହୀନ ରାଜା ସୁରଥ ନିଜ ରାଜ୍ୟ ଫେରି ପାଇବା ବିଷୟରେ ବର୍ଣ୍ଣନା କରାଯାଇଛି।କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପାଣ୍ଡବ ମାନେ ବନଦୁର୍ଗାଙ୍କର ଆରାଧନା କରିଥିଲେ। ଛତ୍ରପତି ଶିବାଜି ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ପୂର୍ବରୁ ଦୁର୍ଗାଙ୍କର ଆରାଧନା କରୁଥିଲେ। ଦେବୀ ଦୁର୍ଗା ହେଉଛନ୍ତି ମହାବିଦ୍ୟା, ମହାମାୟା, ମହାଯୋଗେଶ୍ଵରୀ। ତାଙ୍କର ଶେଷ ବା କ୍ଷର ନଥିବାରୁ ସେ ଅକ୍ଷରା। ବାସନ୍ତୀ ଦୁର୍ଗା ପୂଜା ଓ ଶରତକାଳୀନ ଦୁର୍ଗାପୂଜାରେ ଘଟ ସ୍ଥାପନ ଓ ଅନ୍ୟାନ୍ୟ ପୂଜା ବିଧି ପ୍ରାୟତଃ ସମାନ।

ଆମର ସଂସ୍କୃତି ଅନୁଯାୟୀ ଆମେ ବିଭିନ୍ନ ପୂଜା କଲେ ମଧ୍ୟ ସବୁ ପୂଜା ପ୍ରାୟତଃ ପଞ୍ଚଭୂତ ଉପରେ ଆଧାରିତ। ଏମାନଙ୍କ ଧର୍ମଗତ ସ୍ଵଭାବ ଶବ୍ଦ, ସ୍ପର୍ଶ, ରୂପ,ରସ ଓ ଗନ୍ଧ ଆମର ପଞ୍ଚ ଇନ୍ଦ୍ରିୟ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ଵାରା ଗୃହୀତ ହୋଇଥାନ୍ତି। ଚୈତ୍ର ଶୁକ୍ଳ ପ୍ରତିପଦ ତିଥି ହେଉଛି ବାସନ୍ତୀ ଦୁର୍ଗାପୂଜାର ପ୍ରଥମ ଦିନ। ବିଭିନ୍ନ ମତ ଅନୁସାରେ ଏହା ସୃଷ୍ଟି ଆରମ୍ଭ ଦିବସ, ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଦିବସ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଦିବସ, ସନାତନ ନବବର୍ଷ ଆକାରରେ ପାଳିତ ହୁଏ। ଏହି ତିଥି ତେଲୁଗୁ ନବବର୍ଷ ଉଗାଦି ଓ ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ଦିବସ ଭାବେ ମଧ୍ୟ ପାଳିତ ହୁଏ। ଆଶ୍ୱିନ ମାସରେ ଷୋଳପୂଜା ହେଉଥିବା ବେଳେ ଚୈତ୍ର ମାସରେ ବାସନ୍ତୀ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ହୁଏ।ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ, କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ଅଷ୍ଟମୀ ତିଥିରେ ଭୁବନେଶ୍ଵର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୁଏ। ନବମୀ ତିଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀ। ବାସନ୍ତୀ ଦୁର୍ଗାପୂଜାରେ ପ୍ରଥମେ ବିଘ୍ନ ବିନାଶକ ଗଣପତିଙ୍କୁ ଆରାଧନା କରାଯାଏ। ବରୁଣ, ଇନ୍ଦ୍ରଙ୍କ ସହ ଦଶଦିଗପାଳ, ଆଦିତ୍ୟାଦି ନବଗ୍ରହ, ଗ୍ରାମଦେବତୀ ଓ ଗ୍ରାମଦେବତାଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଏ। ଉଭୟ ଶାରଦୀୟ ପୂଜା ଓ ବାସନ୍ତୀ ଦୁର୍ଗାପୂଜାରେ ଘଟରେ ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ, ନର୍ମଦା, ସିନ୍ଧୁ ଓ କାବେରୀ ଜଳର ସମନ୍ୱିତ ପବିତ୍ର ଭାବଧାରାକୁ ଗ୍ରହଣ କରାଯାଏ। ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃକା, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ।।

You might also like